ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା
ରାଜ୍ୟରେ ଗତ କିଛି ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ, ଆଉ ୪ ଦିନ ଜାରି ରହିବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡା ଏହି ୮ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କୁଆପଥର ବର୍ଷା ସହ ୫୦ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଗଞ୍ଜାମ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡା ଓ ବଲାଙ୍ଗୀର ଏହି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।