ଆଜିଠୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ
ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ୍ ଇନୋଭେଶନ୍ ଫେଲୋଶିପ୍ ପ୍ରୋଗ୍ରାମ୍ ଅଧୀନରେ ଆଜି ଠାରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ ହେବ। ପିଏଚ୍ଡି ଆଶାୟୀମାନେ ସାମ୍ସ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍ ୨୪ ଆବେଦନର ଶେଷ ତାରିଖ ରହିଛି। ଆବେଦନରେ କୌଣସି ପରିବର୍ତ୍ତନ କିମ୍ବା ତ୍ରୁଟି ଥିଲେ ଆବେଦନକାରୀ ୨୫ ତାରିଖରେ ସଂଶୋଧନ କରିପାରିବେ।
ତେବେ ଏହିଦିନ ନୂଆ ଆବେଦନ କରିହେବ ନାହିଁ। ଜୁଲାଇ ୩ରେ ଓକାକ୍ ପକ୍ଷରୁ ଆବେଦନକାରୀଙ୍କ ତଥ୍ୟ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)ରେ ଦାଖଲ କରାଯିବ। ପରବର୍ତ୍ତୀ ସମୟରେ ଓଏସ୍ଏଚ୍ଇସି ପକ୍ଷରୁ ଆବେଦନକାରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଯାଞ୍ଚ କରାଯିବ।ସୂଚନା ମୁତାବକ, ରାଜ୍ୟରେ ପିଏଚଡି କରୁଥିବା ୩୦୦ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ସେମାନେ ୫ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ୫୦ ହଜାର ଓ ସାମାଜିକ ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ବର୍ଷକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଯେଉଁ ପିଏଚଡି ଧାରୀ ବିଶ୍ୱର ଶ୍ରେଷ୍ଠ ୨୫ଟି ଜର୍ଣ୍ଣାଲରେ ନିଜ ନିବନ୍ଧ ପ୍ରକାଶ ପାଇଁ ରିସର୍ଚ୍ଚ କରୁଥିବେ ସେମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୩୦ ହଜାର ଟଙ୍କା ଷ୍ଟାଇପେଣ୍ଡ ଆକାରରେ ଦିଆଯିବ ।