ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁ ବାବୁ।୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ସେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ। ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା।ମଧୁବାବୁଙ୍କ ଆଇନଜୀବୀ ପେଶାର ଅଭିଭାବକତ୍ୱ ସମ୍ପର୍କରେ ତାଙ୍କ ନିକଟରେ ୧୦ ବର୍ଷ ଧରି ଜୁନିୟର ଓକିଲ ଭାବେ କାମ କରିଥିବା ଗୋପାଳ ଚନ୍ଦ୍ର ପ୍ରହରାଜ ଲେଖିଛନ୍ତି ଯେ ୧୦ ବର୍ଷ କାଳ ମଧୁବାବୁଙ୍କ ଅଫିସରେ କାର୍ଯ୍ୟ କରିବା ପରେ ଯେତେବେଳେ ସେ ସରକାରୀ ଓକିଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ସେ ମଧୁବାବୁଙ୍କୁ ଏ କଥାଟି ଜଣାଇ ନଥିଲେ । ମଧୁବାବୁ, ଏକଥା ଜାଣିବା ପରେ କହିଲେ ‘‘ଗୋପାଳ, ତୁମେ ଏବେ ଓଡ଼ିଶା ପାଇଁ ମୃତ । ହୁଏତ ତୁମେ ଏବେ ଖୁବ୍ ପ୍ରଭାବଶାଳୀ ଓ ଧନୀ ହୋଇପାର, କିନ୍ତୁ ଏ ଜାତି ପାଇଁ ଏବଂ ଓଡ଼ିଶା ମାଟି ପାଇଁ ତୁମର ଆଉ କୌଣସି ଆବଶ୍ୟକତା ରହିବ ନାହି’’। ମଧୁବାବୁଙ୍କ ଶାଣିତ ମନ୍ତବ୍ୟ ଜୁନିୟର ଓକିଲ ମାନଙ୍କୁ ଅନେକ ସମୟରେ ନିରୁତ୍ସାହିତ କରୁଥିଲେ ମଧ୍ୟ ମଧୁବାବୁଙ୍କ ଜାତୀୟ ପ୍ରୀତି ଓ ଆଇନ ପେଶା ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା ତାଙ୍କ ନିକଟରେ କାର୍ଯ୍ୟ କରୁଥିବା ଜୁନିୟର ଓକିଲ ମାନଙ୍କୁ ଅନୁପ୍ରାଣିତ କରୁଥିଲା । କୌଣସି ଆଇନଗତ ବିଷୟବସ୍ତୁ ସମ୍ପର୍କରେ କୋର୍ଟର ରାୟ କିମ୍ବା ଆଇନଗତ ପୁସ୍ତିକାକୁ ସେ ନିଜେ ତନ୍ନ ତନ୍ନ କରି ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ । ଅନେକ ସମୟରେ ବହି ପଢୁପଢୁ ଟେବୁଲ ଉପରେ ସେ ଶୋଇ ପଡ଼ୁଥିଲେ ।