ଆଜି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ,ବିଶେଷ ଅଭିଯାନ – ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ।
ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ ଓ ସଙ୍କୋଚ ରହିଛି । ଏପରିକି ଅନେକ କ୍ଷେତ୍ରରେ ସେମାନେ ନିଜ ଘରେ ବିଭିନ୍ନ ବାସନ୍ଦର ଶିକାର ହେବା ସହ ସମାଜ ଓ କାର୍ଯ୍ୟକ୍ଷେତ୍ରରେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି । ସ୍ବଚ୍ଛତା ଦିଗରେ ନିରନ୍ତର ପ୍ରୟାସ ଓ ପଦକ୍ଷେପ ପରେ ମହିଳାମାନେ ସଚେତନ ହେଲେଣି । ଧୀରେ ଧୀରେ କପଡ଼ା ଛାଡ଼ି ସାନିଟାରୀ ପ୍ୟାଡ୍ ଆପଣାଇଥିବା ବେଳେ ଏବେ ପୁନଃବ୍ୟବହାର ଉପଯୋଗୀ ପିରିୟଡ୍ ଉପକରଣ ବ୍ୟବହାର ଦିଗରେ ପ୍ରଯତ୍ନ ହେଉଛନ୍ତି । ତେଣୁ ପିରିୟଡ୍ ପ୍ୟାଣ୍ଟି, ମେନ୍ଷ୍ଟ୍ରୁଆଲ୍ କପ୍ ଭଳି ପରିବେଶ ଅନୁକୂଳ ଉପକରଣର ଚାହିଦା ବଢ଼ୁଛି । ବିଶେଷକରି ସହରୀ ମହିଳା ଓ ଯୁବତୀମାନେ ସାଧାରଣ ସାନିଟାରୀ ପ୍ୟାଡ୍ ବଦଳରେ ଏସବୁ ଆଧୁନିକ ତଥା ପରିବେଶ ଉପଯୋଗୀ ଉପକରଣ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।ପ୍ରତିବର୍ଷ ମେ’ ୨୮ ତାରିଖକୁ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ’ ଭାବେ ପାଳନ କରାଯାଉଛି । ଏହାର ଥିମ୍ ରହିଛି ‘ଟୁଗେଦର ଫର ଏ ପିରିୟଡ୍ ଫ୍ରେଣ୍ଡଲି ୱାର୍ଲ୍ଡ’। ଏହି ଅବସରରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଲଗାତର ତୃତୀୟ ବର୍ଷ ପାଇଁ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ଶୀର୍ଷକରେ ଏକ ମିଳିତ କ୍ୟାମ୍ପେନ କରାଯାଉଛି । ମେ’ ୨୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୯ ତାରିଖ ଯାଏଁ ଚାଲିବ । ତେବେ ତଥ୍ୟ ଅନୁସାରେ, ଦେଶରେ ପ୍ରତିବର୍ଷ ପ୍ରାୟ ୧୨ ହଜାର ଟନ୍ ପ୍ଲାଷ୍ଟିକ୍ ସାନିଟାରୀ ବର୍ଜ୍ୟ ଉତ୍ପନ୍ନ ହେଉଛି । ଯାହା ପରିବେଶକୁ ପ୍ରଦୂଷିତ କରିଥାଏ । ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ମାସିକ ପ୍ରାୟ ୩୦୦ରୁ ୪୦୦ ଟନ୍ ବର୍ଜ୍ୟ ସୃଷ୍ଟି ହେଉଛି । ଜଣେ ସାନିଟାରୀ ପ୍ଲାଷ୍ଟିକ୍ ପ୍ୟାଡ୍ ବ୍ୟବହାରକାରୀ ମହିଳା ନିଜ ଜୀବନକାଳରେ ହାରାହାରି ୮ରୁ ୧୦ ହଜାର ପ୍ୟାଡ୍ ବ୍ୟବହାର କରିଥାନ୍ତି । ଯାହା ୧୦୦ରୁ ୨୦୦ କେଜି ପ୍ଲାଷ୍ଟିକ ବର୍ଜ୍ୟ ପରିବେଶକୁ ଦେଇଥାଏ । ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ଚିନ୍ତାର ବିଷୟ ଯେ, ଆଜି ବି ପୃଥିବୀର ପ୍ରାୟ ୫୦ କୋଟିରୁ ଅଧିକ କିଶୋରୀ ଓ ମହିଳାଙ୍କ ପାଖରେ ଋତୁସ୍ରାବ ସ୍ୱାସ୍ଥ୍ୟ ବାବଦରେ ଆବଶ୍ୟକ ସୂଚନା, ବିଭିନ୍ନ ପିରିୟଡସ୍ ପ୍ରଡକ୍ଟ ଏବଂ ଋତୁସ୍ରାବ ପରିଚ୍ଛନ୍ନତା ପରିଚାଳନା ପାଇଁ ଆବଶ୍ୟକ ସୁବିଧା ନାହିଁ । ବିଶେଷକରି, ଆର୍ଥିକ ସମସ୍ୟା, ପୁରୁଣାକାଳିଆ ସାମାଜିକ ପ୍ରଥାର ପ୍ରଭାବ ସହ ଋତୁସ୍ରାବ ଶିକ୍ଷା ଓ ସଚେତନତାର ଅଭାବ ଏହାର ପ୍ରମୁଖ କାରଣ ।