ଆଜି ହେଉଛି ଜାତୀୟ ପଞ୍ଚାୟତିରାଜ ଦିବସ
ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ ମସିହାରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ତେବେ ୧୯୫୭ରେ ତତ୍କାଳୀନ ସାଂସଦ ବଳବନ୍ତରାଓ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ହେଲା। ଏହି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ୧୯୫୯ ଅକ୍ଟୋବର ୨ରେ ରାଜସ୍ଥାନର ନାଗୌରଠାରେ ଉଦ୍ଘାଟିତ ହୋଇଥିଲା।
ସମୟ ସ୍ରୋତରେ ଅନେକ ସଂଶୋଧନ, ପରିବର୍ତ୍ତନ ଓ ପରୀକ୍ଷା ନିରୀକ୍ଷା ପରେ ୧୯୯୨ ଏପ୍ରିଲ ୨୪ରେ ସମ୍ବିଧାନର ୭୩ତମ ସଂଶୋଧନ ବଳରେ ଏହି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେଲା। ଏହି ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଲା। ସେଇଥିପାଇଁ ଏପ୍ରଲ ୨୪ ତାରିଖକୁ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ରୂପେ ପାଳନ କରାଯାଇଆସୁଛି। ଏହି ସଂଶୋଧନ ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ୨୯ଟି ବିଷୟ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଆସିବା ପରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଗ୍ରାମାଞ୍ଚଳରେ ସକ୍ରିୟଭାବେ କାର୍ଯ୍ୟ ଆରମ୍ଭକଲେ। ତେବେ ଏକ ସୁଦୃଢ଼ ସ୍ଥାନୀୟ ସ୍ବୟଂଶାସନ ହିଁ ଗ୍ରାମୀଣ ଭାରତର ଆତ୍ମନିର୍ଭରଶୀଳତାର ପ୍ରତିବଦ୍ଧତାକୁ ସୁଦୃଢ଼ କରିପାରିବ ଏବଂ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେଇ ଗ୍ରାମୀଣ ଜୀବନକୁ ରୂପାନ୍ତରିତ କରିପାରିବ।