ଆଜି ୮ ଜିଲ୍ଲାକୁ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷୁଛି। ପାରଦ ୪୫ ଡିଗ୍ରୀ ସେଲସିୟସ୍‌ ଡେଇଁଛି, ଝାରସୁଗୁଡ଼ା (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା । କାଳବୈଶାଖୀ ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟକୁ ପୁଣି ଫେରିଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଉପର ମୁହାଁ ରହିଛି । ଉପକୂଳ ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରେକର୍ଡ କରାଯାଇଛି । ଆଜି ହିଟୱେଭ୍ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ଗରମ ଓ ଆଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ । ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ ।। ଡରାଇଲାଣି ପାଣିପାଗ ପୂର୍ବାନୁମାନ। ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ। ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ। ଗ୍ରୀଷ୍ମ ଲହରୀରେ ଜଳିବ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ।

Ad 13