କଠିନ ପରିଶ୍ରମ ହିଁ ଦେଇଥାଏ ସଫଳତା,ପୂର୍ତ୍ତୁ ବିଭାଗରେ କନିଷ୍ଠ ଯନ୍ତ୍ରୀ ହେବେ ଦୁର୍ଗମ ଅଞ୍ଚଳର ଦଳିତ ପରିବାର ପୁଅ ବିନୟ l
ଥୁଆମୂଳ ରାମପୁର,୧୬।୫-(ଦୁର୍ଗା କୀର୍ତ୍ତି):- ଜଣେ ଗରିବ ତଥା ଦଳିତ ପରିବାରର ଛୁଆ ଉଚ୍ଚଶିକ୍ଷା ଲାଭ କରି ଉଚ୍ଚ ପଦପଦବୀରେ ଚାକିରୀ କରିବାର ସ୍ବପ୍ନ ରହିଥିବା ବେଳେ ନିଜର କଠିନ ପରିଶ୍ରମ ବଳରେ ଏଭଳି ସ୍ବପ୍ନକୁ ସାକାର କରି ଦେଖାଇଛନ୍ତି ବିନୟ ନାଏକ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜଣେ ଗରିବ ତଥା ଦଳିତ ପରିବାରର ପୁଅ ବିନୋଦ ପୁର୍ତ୍ତ ବିଭାଗର ଯନ୍ତ୍ରୀ ପଦବୀରେ ଚାକିରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଓଏସ୍ଏସ୍ ସି ଜେଇ ପରୀକ୍ଷାରେ ଓଡ଼ିଶାର ୯୩୩ ମଧ୍ୟରୁ ୫୬୯ ନମ୍ବର ରେଙ୍କ ରଖି ଏହି ସଫଳତା ପାଇ ପାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେ ଜେଇଇ ମେନ୍ ପାଇଁ ୨୦୧୬ ମସିହାରେ ପ୍ରବେଶିକା ପରୀକ୍ଷା ଶେଷ କରିଥିବା ବେଳେ ଅର୍ଥ ଅଭାବରୁ ନାମ ଲେଖାଇ ପାରିନଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୭ ମସିହାରେ ଓଜେଇଇରେ ସାରା ଓଡ଼ିଶାରୁ ୨୪୬ ନମ୍ବର ରେଙ୍କ ରଖି ପୁଣି ପରୀକ୍ଷା ଦେଇ ସରକାରୀ ଇଞ୍ଜିନିୟରିଂ କଲେଜ ଭବାନୀପାଟଣା ଠାରେ ସିଭିଲ ବିଭାଗରେ ନାମ ଲେଖାଇ ପାଠ ପଢି ଥିବା ବେଳେ ବର୍ତ୍ତମାନ କଠିନ ପରିଶ୍ରମ ବଳରେ ଆଜି ବିଜୟ ହାସଲ କରିଛନ୍ତି। ଏହି ବ୍ଲକର ଦୁର୍ଗମ ଅଞ୍ଚଳ କେରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଚଲେଖା ଗ୍ରାମର ଜଣେ ଗରିବ ଦଳିତ ଚାଷୀ ପରିବାରର ଶିବ ନାଏକଙ୍କ ପୁଅ ବିନୟ ନାଏକ l ଉଚ୍ଚ ଶିକ୍ଷା ପାଇବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୂର୍ଣ୍ଣ ସହଯୋଗରେ ଆଜି ପୁର୍ତ୍ତୁ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବରେ ପଦବୀ ପାଇବାଥିବା ସୌଭାଗ୍ୟ ଅର୍ଜନ କରିଛି ବୋଲି କହିବା ସହ ମୁଁ ଦଶମ ଶ୍ରେଣୀରେ କେବଳ ୨୩୯ ମାର୍କ ପାଇଥିଲି। ସେତେବେଳେ ଅନେକ ଲୋକେ ମୋତେ ଅବହେଳା କରିଥିଲେ, କହିଥିଲେ ଯେ ମୁଁ ଜୀବନରେ କିଛି କରିପାରିବିନି। କିନ୍ତୁ ମୁଁ ମୋ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମକୁ ଅସ୍ତ୍ର ବନେଇ, ଆଜି ଓଡ଼ିଶାର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ପରୀକ୍ଷା ଉତ୍ତୀର୍ଣ୍ଣ କରିଛି। ମାର୍କ କେବଳ ଏକ ସଂଖ୍ୟା – ତୁମ ଦୃଢ଼ ସଂକଳ୍ପ, ଶ୍ରମ ଓ ସଠିକ୍ ଦିଗ ନିର୍ଦେଶ ଥିଲେ ସେଠାରୁ ମଧ୍ୟ ଆଗକୁ ବଢିପାରିବା ସମ୍ଭବ। ମୋ ନିମନ୍ତେ ଏହା ଏକ ମନ୍ତ୍ର –“ଆଜି ହାରିଲେ କିଛି ନୁହେଁ, କାଲି ପାଇଁ ପ୍ରସ୍ତୁତି ଚାଲିରହିବା ଉଚିତ।”ସେହିପାଇଁ ବନ୍ଧୁମାନେ, ଆତ୍ମବିଶ୍ୱାସ ଓ ପରିଶ୍ରମ ରେ କେବେ ଅଭାବ ରଖନ୍ତୁନି। ଆପଣଙ୍କ ସମୟ ନିଶ୍ଚିତ ଆସିବ ବୋଲି ଆମ “ଧରିତ୍ରୀ” ଖବରକାଗଜ ମାଧ୍ୟମରେ ଏକ ବାର୍ତ୍ତା ଦେବା ସହ ନିଜ ମାଁ ବାପା ମାମୁ ମାଇଁ ଏବଂ ସମ୍ପର୍କୀୟଙ୍କୁ ଶ୍ରେୟ ଦେବା ସହ ପୁଣି ପ୍ରଦେଶ କଂଗ୍ରେସ କମିଟି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ଶ୍ରେୟ ଦେବା ସହ ଧନ୍ୟବାଦ୍ ଜଣାଇଛନ୍ତି ଶ୍ରୀ ନାଏକ l ଏହାକୁ ନେଇ ଜିଲ୍ଲା ସମେତ ବ୍ଲକ୍ ର ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଆ ଛୁଟୁଛି l