ଖରିଫ୍ ଋତୁ ପୂର୍ବରୁ ଚାଷୀଙ୍କୁ ଉପହାର, ବଢିଲା ଧାନ ଦର

ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି। ବୁଧବାର କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କୃଷକ କଲ୍ୟାଣକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଖରିଫ୍ ଋତୁ ପୂର୍ବରୁ ଧାନ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ୭ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଏହାସହ କୃଷକଙ୍କୁ ସ୍ୱଳ୍ପ ସୂଧହାରରେ ଋଣ ଯୋଗାଇବାକୁ ସରକାର ସୂଧ ସହାୟତା ଯୋଜନା ଘୋଷଣା କରିଛନ୍ତି । କେବଳ ଧାନ ନୁହେଁ କେନ୍ଦ୍ର ସରକାର ମାଣ୍ଡିଆ କୁଇଣ୍ଟାଲ ଉପରେ ୫୯୬ ଟଙ୍କା, ହରଡ଼ ଡାଲି କୁଇଣ୍ଟାଲ ଉପରେ ୪୫୦ ଟଙ୍କା ମଧ୍ୟ ବୃଦ୍ଧି କରିଛନ୍ତି । ସେହିଭଳି କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି। କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି ହୋଇ ୮,୧୧୦ ଟଙ୍କା କରାଯାଇଛି। ଯାହା ପୂର୍ବ ଅପେକ୍ଷା ୫୮୯ ଟଙ୍କା ଅଧିକ। ତେବେ ଏମଏସପି ବୃଦ୍ଧି କାରଣରୁ ସରକାରଙ୍କ ଉପରେ ୨ ଲକ୍ଷ ୭ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଯାହା ପୂର୍ବ ଫସଲ ଋତୁ ତୁଳନାରେ ୭ ହଜାର କୋଟି ଟଙ୍କା ଅଧିକ। ଗତବର୍ଷ ଧାନର ସହାୟକ ମୂଲ୍ୟ ୨୩ ଶହ ଟଙ୍କା ଥିବା ବେଳେ ଏଥର ଚାଷୀ କୁଇଣ୍ଟାଲ ପ୍ରତି ୨୩୬୯ ଟଙ୍କାରେ ମଣ୍ଡିରେ ବିକ୍ରି କରିପାରିବେ । ଏହାସହ ବିଭିନ୍ନ ରାଜ୍ୟର ସରକାରମାନେ ଚାଷୀଙ୍କୁ ସହାୟତା ମୂଲ୍ୟ ବାଦ୍ ବୋନସ୍ ମଧ୍ୟ ପ୍ରଦାନ କରୁଛନ୍ତି । ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିଥାଏ । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସହାୟକ ମୂଲ୍ୟ ବାଦ୍ ଚାଷୀଙ୍କୁ ଗତବର୍ଷ କୁଇଣ୍ଟାଲ ପ୍ରତି ୮ଶହ ଟଙ୍କା ବୋନସ୍ ପ୍ରଦାନ କରିଥିଲେ । ଚଳିତ ବର୍ଷ ସେହି ବୋନସ୍ ଯଦି ଜାରି ରହେ ତେବେ ରାଜ୍ୟର କୃଷକମାନେ ଧାନ କୁଇଣ୍ଟାଲ ୩୧୬୯ ଟଙ୍କାରେ ବିକ୍ରି କରିବେ ।

Ad 13