ଜୁନ୍ ୧ରୁ କମିବ ବର୍ଷା ପରିମାଣ, ଫେରିବ ଗରମ
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଗୁରୁବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇଥିବାବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ କାଳବୈଶାଖୀପ୍ରଭାବରେ ୩୦-୪୦ କିମି ପବନ, ବଜ୍ରପାତ, ଧୂଳିଝଡ଼ ଆଶଙ୍କା ଅଛି ।