ଝିଅ ହେବ ତ ଏମିତି । ଡାହାଣ ଗୋଡ଼ ନାହିଁ, ତଥାପି ନୃତ୍ୟ, ରାମ୍ପ ଏବଂ ସନ୍ତରଣରେ ମାହିର ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନରେଦ୍ରପୁର ଗାଁର ମୋନାଲି । ଜନ୍ମ ବେଳୁ ମୋନାଲିଙ୍କର ଗୋଟିଏ ଗୋଡ଼ ନ ଥିଲା । କିନ୍ତୁ ମାଆ-ବାପା ତାଙ୍କର ୬ ମାସରୁ ହିଁ ଓଲଟପୁର ଆଣି କୃତ୍ରିମ ଗୋଡ଼ ଲଗାଇ ଦେଇଥିଲେ । ୬ ମାସରୁ ୨୬ ବର୍ଷ ହେଲା ଏହି କୃତ୍ରିମ ଗୋଡ଼ ସହ ସଂଘର୍ଷ କରି ଜୀବନକୁ ଲଢ଼ିବା ଶିଖାଇ ଦେଇଛନ୍ତି ।ଶାରୀରିକ ଅକ୍ଷମତା କେବେ ତାଙ୍କ ମନ ବଳକୁ ଭାଙ୍ଗି ପାରିନି । ଗୋଡ ନଥିଲେ ମଧ୍ୟ କୁତ୍ରିମ ଗୋଡରେ ପାଣିକୁ ଓଲ୍ହାଇ ନିଜର ପାରଙ୍ଗମତାର ପ୍ରମାଣ ଦେଇଥାନ୍ତି । ପିଲାଟି ବେଳୁ ଡାହାଣ ଗୋଡର ଆଣ୍ଠୁ ପାଖରୁ ନାହିଁ ଓ ଅନ୍ୟ ଗୋଡର ଆଙ୍ଗୁଠି ସବୁ ଛୋଟ । ହେଲେ ସେସବୁକୁ ଖାତିର ନକରି ସନ୍ତରଣରେ ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ସନ୍ତରଣ ନୁହେଁ ପାଦ ନ ଥାଇ ବି କୃତ୍ରିମ ଗୋଡ଼ରେ ସେ ଘୁଙ୍ଗୁର ପିନ୍ଧି ଓଡ଼ିଶୀ ନାଚନ୍ତି । କ୍ଲାସିକାଲ ହେଉ କି ସେମି କ୍ଲାସିକାଲ, ସବୁ ନୃତ୍ୟରେ ସେ ପାରଦର୍ଶିତା ଦେଖାଇଛନ୍ତି ।
ଏହା ସହିତ ମୋନାଲି ପାଠପଢାରେ ମଧ୍ୟ ଦକ୍ଷ । ଭୁବନେଶ୍ବରରେ ଗ୍ରାଜୁଏସନ ସାରିବା ପରେ ଖୋର୍ଦ୍ଧାରେ ଥିବା ସ୍ପେଶାଲ ଆଇଟିଆଇରେ ପାଠପଢା ଶେଷ କରିଛନ୍ତି ।ମୋନାଲି ପ୍ରତ୍ଯେକ ଦିନ ସକାଳ ସମୟରେ କଳିଙ୍ଗ ଷ୍ଟାଡିୟମରେ ୪୫ ମିନିଟ ଓ ସନ୍ଧ୍ୟାରେ ରେଲୱେ ଷ୍ଟାଡିୟମରେ ୪୫ ମିନିଟ ସନ୍ତରଣ ଅଭ୍ଯାସ କରନ୍ତି । ରେଲୱେ ଷ୍ଟାଡିୟମ କୋଚ ସତ୍ୟ ରଞ୍ଜନ ମହାନ୍ତିଙ୍କ ପରାମର୍ଶ କ୍ରମେ ସଂପୂର୍ଣ୍ଣ ମାଗଣାରେ ଅଭ୍ଯାସ କରୁଛନ୍ତି ବୋଲି କହିଛନ୍ତି ମୋନାଲି । ଏହା ସହିତ ମୋନାଲି ଫ୍ୟାସନ ସୋ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେ ସବୁକିଛି ଟିଭିରୁ ଦେଖି ଶିଖିଛନ୍ତି |