ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ। ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ। ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଏହି ଚର୍ଚ୍ଚିତ ଧାର୍ମିକ ପରିଚୟର ପବିତ୍ରତା ଏବଂ ଅନନ୍ୟତାକୁ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।” ଅନ୍ୟପଟେ ଏ ସମ୍ପର୍କରେ ଗଜପତି ମହାରାଜା ମୁକ୍ତି ମଣ୍ଡପ ମତକୁ ଆଧାର କରି ସୋମବାର ଏକ ପ୍ରେସ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବ ନାହିଁ । ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ବୋଲି ଗଜପତି ସୂଚନା ଦେଇଛନ୍ତି ।