ଦୁର୍ଗମ ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା : ପୁଣି କମ୍ବଳ ଝୋଲାରେ ବୁହା ହୋଇ ୧୦ କିଲୋମିଟର ଗଲେ ରୋଗୀ I

ଥୁଆମୁଳ ରାମପୁର,୦୭/୦୪-(ଦୁର୍ଗା କୀର୍ତ୍ତି):- ଦୁର୍ଗମ ଅଞ୍ଚଳରେ ରୋଗୀ ହେଉ ଅବା ଗର୍ଭବତୀ ହେଉ କେବେ ଖଟିଆରେ ବୁହା ହେଉଛି ତୋ କେବେ ଝୋଲା କପଟାରେ ବୁହା ହେଉଛି l ବାରମ୍ବାର ସାମାଜିକ ଗଣମାଧ୍ୟମରେ ଏଭଳି ଖବର ମାଳ ମାଳ ଆସୁଥିଲେ ମଧ୍ୟ ସରକାର ଏମାନଙ୍କ ଦୁଃଖ ବୁଝି ପାରୁନାହାନ୍ତି ଏବଂ ଏହାର କୌଣସି ସମାଧାନ କରୁନାହାନ୍ତି l ବିଗତ ବିଜେଡି ସରକାରଙ୍କ ଶାସନକାଳରୁ ବିଜେପି ଶାସନ ଆସି ପହଞ୍ଚିଛି ତଥାପି ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟର ଅଭାବ ରହିଥିବା ଯୋଗୁଁ ରୋଗୀଙ୍କୁ ଖଟିଆରେ ନହେଲେ ଲୁଗା ଝୋଲା ସାହାର୍ଯ୍ୟରେ ବୁହା ହେବା ଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ପୁଣି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ସ୍ଥିତ ମୁରଲୀମୁହିଁ ଗାଁ ରୁ ଆସିଛି ଏଭଳି ଚିତ୍ର l

ସୂଚନା ଯୋଗ୍ୟ ଯେ ଗତ ୦୪ ତାରିଖ ଦିନ ଗ୍ରାମର କାଳିଆ ମାଝୀ (୫୩)ଙ୍କୁ ପେଟ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ରାସ୍ତାଘାଟ ଅଭାବ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ ଏବଂ ସର୍ଗିପଦର ଗାଁ ଡାଣ୍ଡରେ ଅପେକ୍ଷାରେ ରହିଥିଲା। ଦୁଃଖର ଓ ପରିତାପ୍ ର ବିଷୟ ସରକାରଙ୍କ ପକ୍ଷରୁ ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ଯ ପାଇଁ ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି, ତଥାପି ଦୁର୍ଗମ ଅଞ୍ଚଳ ପାଇଁ ଭଲ ରାସ୍ତା ଖଣ୍ତେ ନିର୍ମାଣ କରାଯାଇପାରିଲା ନାହିଁ, ଯାହାଫଳରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି, ଏହାଦ୍ବାରା ବର୍ତ୍ତମାନ୍ ର ଆଧୁନିକ ଯୁଗରେ ମଧ୍ୟ ଅଞ୍ଚଳର ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆ ନହେଲେ ଝୋଲା ସାହାଯ୍ୟରେ ବୁହା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

କାହିଁ ଗଲା ବିକଶିତ ଗାଁ ବିକଶିତ ଓଡିଶା, ଏହା କଣ ସ୍ଲୋଗାନରେ ରହିବ କି ? ନା ଫାଇଲ ରେ ରହିବ ? ଏହି ଗାଁ କୁ ଆମ୍ବୁଲାନ୍ସ ଗାଡି ଯିବା ଆସିବା ସପ୍ନ ସାକାର ହେବ ନା ଏମିତି ସାତସପନ ହୋଇ ରହିଯିବ ବୋଲି ପ୍ରଶ୍ନ କରୁଛନ୍ତି ଆଞ୍ଚଳର ଜନସାଧାରଣ। ଏହି ଗାଁ ଦୁର୍ଗମ ଅଞ୍ଚଳ ଭାବରେ ରହିଛି ହେଲେ ଏହି ଗାଁ ପ୍ରତି କାହାର ଦୃଷ୍ଟି ପଡିପାରୁ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି, ତେବେ ଗ୍ରାମାଞ୍ଚଳର ବିକାଶ ପାଇଁ ଆସୁଥିବା ବିଭିନ୍ନ ଯୋଜନା କଣ ବାଟବଣା ହୋଇଯାଉଛି କି ? ସରକାରଙ୍କ ଉନ୍ନୟନ ମୁଳକ ଯୋଜନା ଯାଉଛି କେଉଁଠି କି ? ଏହି ଭଳି ବିଭିନ୍ନ ସମସ୍ୟା ରହିଛି ଏହା ପାଇଁ କେବଳ ଜନପ୍ରତିନିଧି ମାନେ ହିଁ ଦାୟୀ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଅପରପକ୍ଷରେ ରାସ୍ତାଘାଟ ଅଭାବ ଯୋଗୁଁ ଯେଉଁ କାଳିଆ ମାଝୀ ଙ୍କୁ ଦୀର୍ଘ ୯ ରୁ ୧୦ କିଲୋମିଟର କମ୍ବଳ ଝୋଲାରେ ବୁହାହେବା ପରେ କେରପାଇ ପଞ୍ଚାୟତ ଅଧିନରେ ଥିବା ସର୍ଗିପଦର ଠାରେ ଅପେକ୍ଷାରେ ଥିବା ଆମ୍ବୁଲାନ୍ସ ର ସୁବିଧା ମିଳିଥିବା ବେଳେ ସେ ବର୍ତ୍ତମାନ କାଶିପୁର ଡାକ୍ତର ଖାନରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୂଚନା ରହିଛି l

Ad 13