ନୀତି ଆୟୋଗ ବୈଠକରେ ଓଡ଼ିଶାର ବିକାଶ ଯାତ୍ରା
କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଟିମ୍ ଇଣ୍ଡିଆ ପରି କାମ କଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ନୂଆଦିଲ୍ଲୀରେ ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ପିଏମ୍ ମୋଦୀ ବୈଠକରେ କହିଛନ୍ତି, ‘ଆମକୁ ବିକାଶର ଗତିକୁ ବଢାଇବାକୁ ପଡ଼ିବ । ଯଦି କେନ୍ଦ୍ର ଓ ସବୁ ରାଜ୍ୟ ମିଶି ଟିମ୍ ଇଣ୍ଡିଆ ପରି କାମ କଲେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ ।’ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକର ବିଷୟ ୨୦୪୭ରେ ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ରଖାଯାଇଛି ।
ପିଏମ୍ ମୋଦୀ କହିଛନ୍ତି, ‘ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ । ଯେତେବେଳେ ପ୍ରତ୍ୟେକ ରାଜ୍ୟ ବିକଶିତ ହେବ, ସେତେବେଳେ ଭାରତ ବିକଶିତ ହେବ । ଏହା ଏହାର ୧୪୦ କୋଟି ନାଗରିକଙ୍କ ଆକାଂକ୍ଷା ।’ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଭାରତ @୨୦୪୭ ଦୃଷ୍ଟିକୋଣ ପାଇଁ ସମସ୍ତ ରାଜ୍ୟକୁ ଏକତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଅପରେସନ୍ ସିନ୍ଦୂରର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଡବଲ ଇଂଜିନ ସରକାର ଯୋଗୁ ଭାରତର ବିକାଶ ଅଭିବୃଦ୍ଧି ୬.୫% ଏବଂ ଓଡ଼ିଶାର ବିକାଶ ଅଭିବୃଦ୍ଧି ୭.୨% ସମ୍ଭବ ହୋଇପାରିଛି।