ପୁଣି ନାଲି ଆଖି ଦେଖାଇଲେ ମମତା , ଲାଗିଲା ଜଗନ୍ନାଥ ଧାମ୍ ସ୍ଥାୟୀ ହୋର୍ଡିଂ
ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା । ୩୦ ତାରିଖ ଉଦ୍ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ୱେବ୍ ସାଇଟ୍ ରେ ମଧ୍ୟ ଜଗନ୍ନାଥ ଧାମ୍ ଦୀଘା ବୋଲି ଲେଖାଯାଇଛି । ଏହାସହ ୱେବସାଇଟ୍ ରେ ଆଉ ଏକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି ଯେ ମହାପ୍ରଭୁଙ୍କ ସ୍ଥାନ ଭୂଲ୍ ଚିତ୍ରିତ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେପଟେ ଦୀଘା ଜଗନ୍ନାଥ ଧାମ ନାମକରଣ ନେଇ ମଧ୍ୟ ପଶ୍ଚିମ ବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ । ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବି ବିରୋଧ କରୁଛୁ । ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାର ଚିଠି ଲେଖିବେ । ଦରକାର ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । କିନ୍ତୁ ପ୍ରକୃତରେ ତାହା ସ୍ଥାୟୀ ନଥିଲା, କେବଳ ଦୁଇ ଦିନ ପାଇଁ ଟେଣ୍ଡ୍ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ । ତେବେ ମମତା ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି ।