ବିଶ୍ଵ ପରିବେଶ ଦିବସ ପାଳନ କରିବା ପାଇଁ ଆସୁଥିଲେ ବିଶିଷ୍ଟ ପରିବେଶ ବିତ୍ ମେଘା ପାଟକରଙ୍କ ଅଟକ ରଖିଲା ପୋଲିସ l
ମାଁ ମାଳି ମାଟି ସୁରକ୍ଷା ମଞ୍ଚ କଳାହାଣ୍ଡି – ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ l
ଥୁଆମୂଳ ରାମପୁର, ୦୫।୦୬(ଦୁର୍ଗା କୀର୍ତ୍ତି):- ବିଶ୍ଵ ପରିବେଶ ଦିବସ ଅବସରରେ ଜଙ୍ଗଲ – ଜମି, ପାଣି – ପବନ – ପର୍ବତକୁ ବଞ୍ଚାଇ ରଖିବା ପାଇଁ ବଜ୍ର ଶପଥ ନେଇଛନ୍ତି ମୂଳନିବାସୀ ଏବଂ ପରିବେଶ ପ୍ରେମୀ l କଳାହାଣ୍ଡି ଜିଲ୍ଲା ଏବଂ ରାୟଗଡ଼ା ଜିଲ୍ଲାର ଶହ ଶହ ପରିବେଶ ପ୍ରେମୀ ଶୁକ୍ରବାର ଥୁଆମୂଳ ରାମପୁର – କାଶିପୁର ବ୍ଲକ ସୀମାନ୍ତରେ ଥିବା କଣ୍ଟାମାଳ ଗ୍ରାମରେ ମାଁ ମାଳି ମାଟି ସୁରକ୍ଷା ମଞ୍ଚ କଳାହାଣ୍ଡି – ରାୟଗଡ଼ା ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରାକୃତିକ ସମ୍ପଦ ସୁରକ୍ଷା ସମାବେଶ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପ୍ରାକୃତିକ ସମ୍ପଦ ସୁରକ୍ଷା ସମାବେଶରେ ସିଜି ମାଳି, କୁଟୃର ମାଳି, ମାଝୀ ମାଳି ଅଞ୍ଚଳର ଶହ ଶହ ମୂଳନିବାସୀ ଅଂଶଗ୍ରହଣ କରିଥିଲେ।

ଏଥିରେ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ପ୍ରାକୃତିକ ପରିବେଶ ପ୍ରେମୀ ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ ଆଜାଦ, ମାଁ ମାଳି ମାଟି ସୁରକ୍ଷା ମଞ୍ଚ ସଭାପତି ସୁବାସିଂ ମାଝୀ, ଉପସଭାପତି ଲାଇ ମାଝୀ, ଯୁବ ସଂଗ୍ରାମୀ କର୍ତ୍ତିକ ନାଏକ, ସଂଗ୍ରାମୀ ନେତ୍ରୀ ପୁନିଦେଇ ମାଝୀ, ଯୁବ ପରିଷଦ ଅଧ୍ଯକ୍ଷ କିରଣ କୁମାର ଧଙ୍ଗଡା ମାଝୀ , ଯୁବ ସଂଗ୍ରାମୀ ରମେଶ ନାଏକ, ମିଥୁନ ନାଏକ ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ଯାନ୍ଯ ମାନଙ୍କୁ ମଧ୍ୟରୁ ପରିବେଶ ପ୍ରେମୀ, ପରିବେଶ ସୁରକ୍ଷା ମଞ୍ଚ, ମାଁ ମାଳି ମାଟି ସୁରକ୍ଷା ମଞ୍ଚ ସଂଗ୍ରାମୀ , ସମାଜସେବୀ ଉପସ୍ଥିତ ରହି ସିଜି ମାଳି, କୁଟୃର ମାଳି, ମାଁଝୀ ମାଳିରେ ଦିଆଯାଇଥିବା ଖଣି ଲିଜକୁ ପ୍ରତ୍ୟାହାର କରାଯାଉ l ପେସା ଓ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭାରେ ସହମତି ଓ ଅନୁମତି ବିନା ଜଙ୍ଗଲ – ଜମି ହସ୍ତାନ୍ତର ବେଆଇନ l କମ୍ପାନୀ ପାଇଁ ଚାଲିଥିବା ପୋଲିସ ଦମନ ବନ୍ଧ ହେଉ l ଥୁଆମୂଳ ରାମପୁର କାଶିପୁର ଜନ ଆନ୍ଦୋଳନ କର୍ମୀଙ୍କ ବିରୋଧରେ ଥିବା ସମସ୍ତ ପୋଲିସ ମାମଲା ପ୍ରତ୍ୟାହାର କରାଯାଉ ବୋଲି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଉକ୍ତ ସମାବେଶ ମାଧ୍ୟମରେ ଚେତାବନୀ ଦେଇଥିବା ଜଣାପଡିଛି l ପ୍ରାକୃତିକ ସମ୍ପଦରେ ଭରପୁର ରହିଥିବା କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ବେଳେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପରିବେଶକୁ ଦୂଷିତ ହେବାରେ ଲାଗିଛି। ସରକାରୀ ଓ ବେ ସରକାରୀ ସ୍ତରରେ ପରିବେଶକୁ ସୁସ୍ଥ ରଖିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ସନ୍ତୋଷ ଜନକ ହୋଇପାରୁ ନାହିଁ। ଫଳରେ ଅଞ୍ଚଳରେ ପୂର୍ବ ଭଳି ଶୀତ ସହ ବର୍ଷାର ଅନିୟମିତତା ଦେଖାଯାଇଛି। ଏହାର ମୁଖ୍ୟ କାରଣ ପରିବେଶ ଦୂଷିତ ହେବା, ଆମ ଏହି ସବୁ ମାଳି କୁ ବିଦେଶୀ କମ୍ପାନୀ ମାନଙ୍କୁ ଖଣି ଖନନ ପାଇଁ ଅନୁମତି ଦିଆନଯାଉ। ଖଣି ଖନନ ରେ ଆମ ପରିବେଶ ଧଂଶ ହେବ ଆମ ପର ପିଢି ବଞ୍ଚିବେ କେମିତି ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହେଉଛି। ଉକ୍ତ ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ପରିବେଶ ଉପରେ ସଚେତନତା ସୃଷ୍ଟି କରିବା। ଏଥିରେ ବିଶ୍ୱର ପ୍ରାୟ ୧୪୩।ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ପରିବେଶ ପ୍ରତି ଅନେକ ଅନ୍ୟାୟ କରି ଚାଲିଛି। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବା ଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ କୁ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ଏହାର ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ। ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି। ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। ପରିବେଶ କ୍ରମାଗତ ଭାବରେ ଦୂଷିତ ହେବାରେ ଲାଗିଛି। ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ। ୧୯୭୨ ରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଆସୁଛି। ମିଳିତ ଜାତିସଂଘ ୧୯୭୨, ଜୁନ୍ ୫ ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା। ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଦିବସ ଯେତେବେଳେ ସଫଳ ହେବ ସେତେବେଳେ ସମସ୍ତେ ପରିବେଶକୁ ଯତ୍ନ କରିବା ପାଇଁ ଆଗେଇ ଆସିବେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ ବୋଲି ସମସ୍ତ ସଂଗ୍ରାମୀ ମତମତା ସାବ୍ୟସ୍ତ କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ମାଁ ମାଳି ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା ସମାବେଶ ରେ ଭାରତ ବର୍ଷର ବିଶିଷ୍ଟ ପରିବେଶବିତ୍ ମେଘା ପାଟେକର ଙ୍କ ସହିତ ଅନେକ ବଡ ବଡ ପରିବେଶ ସଂଗ୍ରାମୀ ଯୋଗଦେବା କାର୍ଯ୍ୟକ୍ରମ ଥିଲା ମାତ୍ର ଏହା ଜାଣି ଉକ୍ତ ଖଣି ଅଞ୍ଚଳକୁ ଲୋଲୁପ ଦୃଷ୍ଟି ଦେଇଥିବା କମ୍ପାନୀର ଇଷାରାରେ ରାୟଗଡ଼ା ପୋଲିସ ଟ୍ରେନ ଷ୍ଟେସନ ରୁ ହିଁ ତାଙ୍କୁ ଅଟକ ରଖି ସଭାକୁ ଯିବା ପାଇଁ ବାରଣ କରିଥିଲା, କାଶିପୁର ଥାନା ଅନ୍ତର୍ଗତ ସୁଙ୍ଗେର ଅଞ୍ଚଳକୁ ୧୪୪ ଧାରା ଜାରୀ କରି ପୋଲିସ ମୁତୟନ କରାଯାଇ ବିଶ୍ୱ ପରିବେଶ ଦିବସ ପାଳନ କୁ ଭଣ୍ତୂର କରିବା ପାଇଁ ସମସ୍ତ ପ୍ରକାର ବଳ ପ୍ରୟୋଗ କରିଥିଲା କମ୍ପାନୀ l ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ତଥା ବିଭିନ୍ନ ପରିବେଶ ପ୍ରେମୀ, ସାମ୍ବାଦିକ ସଂଘ, ଆଇନ ଜିବୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଶ୍ଵ ପରିବେଶ ଦିବସ କୁ ପାଳନ କରି ଆସୁଥିବା ଦେଶ ତଥା ବିଶ୍ଵ ସ୍ତରୀୟ ନେତ୍ରୀ ଙ୍କୁ କାହିଁକି ଏଭଳି କରାଗଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି l