ବୋହୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଶାଶୂଙ୍କ ଆତ୍ମହତ୍ୟା : ଓଢଣୀରେ ଫାଶୀ ଦେଇ ମହିଳା ହାରିଲେ ଜୀବନ l
ଥୁଆମୂଳ ରାମପୁର, ୩୧/୦୫-(ଦୁର୍ଗା କୀର୍ତ୍ତି):- ଅଞ୍ଚଳରେ ଘଟି ଯାଇଛି ଏକ ଚାଞ୍ଚଲ୍ୟକର ଘଟଣା, ବୋହୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଶାଶୁଙ୍କ ଆତ୍ମହତ୍ୟା l ୪ ଦିନ ମଧ୍ୟରେ ଗଲାଣି ଗୋଟିଏ ପରିବାରର ଦୁଇଟି ଜୀବନ l ସକାଳୁ ସକାଳୁ ଜଣେ ମହିଳା ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥୁବା କୋଷାବରା ଗ୍ରାମର ଲଳିତ ନାଏକଙ୍କ ସ୍ତ୍ରୀ ରାଏମତୀ ନାଏକ (୪୫) ନାମକ ମହିଳା ଜଣକ ନିଜ ଘରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ।

ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ସକାଳୁ ମୃତ ରାଏମତୀ ନାଏକଙ୍କ ବଡ଼ ପୁଅ ରଞ୍ଜନ ନାଏକଙ୍କ ସ୍ତ୍ରୀ ତମାଲ ନାଏକ (୨୨) କୁଆଡେ ନିଖୋଜ ହୋଇଥିବା ନେଇ ପୁଅ ରଞ୍ଜନ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପରେ ଗୁରୁବାର ଅପରାହ୍ନରେ ଗ୍ରାମମଝିର ଚାଷ ଜମି ପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ତମାଲଙ୍କ ଶବ ଅଗ୍ନିଶମ ବିଭାଗର ସହଯୋଗରେ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ସାଇନ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ପୂର୍ବରୁ ପୁଅ ରଞ୍ଜନ ଦେଇଥିବା ଅଭିଯୋଗ ଅନୁସାରେ ୦୪/୨୫ ରେ ଏକ ନିଖୋଜ ମାମଲା ଋଜୁ କରିଥିବା ବେଳେ ମୃତ ତମାଲଙ୍କ ବାପା କଳିରାମ ନାଏକଙ୍କ ଅଭିଯୋଗ କ୍ରମେ ୭୦/୨୫ ରେ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଣି ଏକ ମାମଲା ଋଜୁ ହୋଇଥିବା ବେଳେ ପୁଅ ରଞ୍ଜନ ନାଏକ ଏବଂ ସ୍ବାମୀ ଲଳିତ ନାଏକଙ୍କୁ ପୋଲିସ ପଚରା ଉଚରା ପାଇଁ ଥାନାରେ ଅଟକ ରଖିଛି। ଏହି ପରିପ୍ରେକ୍ଷୀରେ ରାଏମତୀ ନିଜ ଘରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ l ଏନେଇ ପୋଲିସ ପକ୍ଷରୁ ୟୁଡି କେସ ନଂ ୦୪/୨୫ ରେ ଏକ ମାମଲା ଋଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଉକ୍ତ ଅଞ୍ଚଳର ଏକପ୍ରକାର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗ୍ରାମବାସୀ ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ତବ୍ଦ ହୋଇଯାଇଛନ୍ତି l