ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି
ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି। ଗତ ରବିବାର ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ଛୁଇଁଥିଲା। ଅନ୍ୟଜଣେ ରୋଗୀ କରୋନାରେ ପ୍ରାଣ ହରାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।