ରାଜ୍ୟରେ ପୁଣି ପାରଦ ଉପରମୁହାଁ
ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍ ଡେଇଁପାରେ । ଗୁଳୁଗୁଳି ଜାରି ରହିବ । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍ସିୟସ୍ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଛି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିବ । ଏପରିକି ଦିନର ସର୍ବୋଚ୍ଚ ତାପମାତ୍ରାରେ ମଧ୍ୟ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଆଜି କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ସମ୍ଭାବନା ରହିଛି ।