ୟୁପିଆଇ ପେମେଣ୍ଟ ବେଳେ୧୮% GST ଲାଗୁ ଉପରେ ସ୍ପଷ୍ଟ କଲା କେନ୍ଦ୍ର
ଭାରତରେ ଡିଜିଟାଲ ପେମେଣ୍ଟର ମେରୁଦଣ୍ଡ ଭାବେ ୟୁପିଆଇ (UPI) ଉପରେ ସାମଗ୍ରୀ ଏବଂ ସେବା କର (GST) ଲାଗୁ ହେବ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଏପରି ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭ୍ରାମକ ଏବଂ ଭିତ୍ତିହୀନ ବୋଲି ମନ୍ତ୍ରଣାଳୟ କହିଛି ।୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ୧୮% GST ଲାଗୁ କରିବା ନେଇ ଚର୍ଚ୍ଚା ହେଉଥିଲା। ଏହି ଖବର ବ୍ୟକ୍ତିଗତ ବ୍ୟବହାରକାରୀ ଏବଂ ଛୋଟ ବ୍ୟବସାୟୀଙ୍କ ସମେତ ବିଭିନ୍ନ UPI ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଥିଲା।
ସୋସିଆଲ ମିଡିଆରେ ଚର୍ଚ୍ଚା ପରେ, କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(CBIT) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସ୍ପଷ୍ଟୀକରଣ ରଖିଥିଲା। କେନ୍ଦ୍ର ସରକାର ୨,୦୦୦ ରୁ ଅଧିକ UPI କାରବାର ଉପରେ GST ଲଗାଇବା ବିଷୟରେ ବିଚାର କରୁଛନ୍ତି ବୋଲି କରାଯାଉଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭ୍ରାମକ ଏବଂ ଆଧାରହୀନ। ବର୍ତ୍ତମାନ, ସରକାରଙ୍କ ସମ୍ମୁଖରେ ଏପରି କୌଣସି ପ୍ରସ୍ତାବ ନାହିଁ। ଅର୍ଥ ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣ ସୂଚାଇଛି ଯେ, ସରକାର UPI ଭଳି ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାର ଏହା ମଧ୍ୟ କହିଛନ୍ତି ଯେ, UPI ମାଧ୍ୟମରେ କମ୍ ମୂଲ୍ୟର କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୫ ଆର୍ଥିକ ବର୍ଷରେ ୧,୫୦୦ କୋଟି ଟଙ୍କାର ବଜେଟ ବରାଦ କରାଯାଇଛି।