୩୫ଟି ଫିକ୍ସଡ ଡୋଜ୍ କମ୍ବିନେସନ୍ ଔଷଧ ଉପରେ ଲାଗିଲା କଟକଣା
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ କେନ୍ଦ୍ର ସରକରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ଔଷଧଗୁଡିକ ମଧ୍ୟରେ ରହିଛି ପେନ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଡିପ୍ରେସନ୍, ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଓ ମଧୁମେହ ପ୍ରତିରୋଧୀ ଔଷଧ ।ଏହି ବ୍ୟାନ୍ର ମୂଳ ଉଦ୍ଦେଶ୍ୟ ହେଉଛି ଅଣ ଅନୁମୋଦିତ ଔଷଧଗୁଡ଼ିକ ଯୋଗୁଁ ଜନସ୍ୱାସ୍ଥ୍ୟ ଉପରେ ହେଉଥିବା ବିପଦକୁ ରୋକିବା ।ଏସବୁ ଫିକ୍ସଡ୍ ଡୋଜ ମିଶ୍ରଣ ଔଷଧ(ଏଫଡିସି)ର ମାନକ ଠିକ ଅଛି କି ନାହିଁ ଅନୁମୋଦନ ଦେବା ପୂର୍ବରୁ ସମୀକ୍ଷା କରାଯିବା ଆବଶ୍ୟକ। ଏହାସହିତ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ନିୟମର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ ନିର୍ଦେଶ ଦିଆଯାଇଛି। ଅନେକ ରୋଗୀ ଏହି FDC ଔଷଧ ଗୁଡ଼ିକ ଉପରେ ନିର୍ଭରଶୀଳ ଥିଲେ, ଯାହା ଅପେକ୍ଷାକୃତ ଶସ୍ତା ଓ ସୁଲଭ ଥିଲା। ଏହାର ବ୍ୟାନ୍ ପରେ ବିକଳ୍ପ ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି ।
ଏଫଡିସି ଔଷଧଗୁଡ଼ିକ ହେଉଛି ଯେଉଁଗୁଡ଼ିକରେ ଏକ ସ୍ଥିର ଅନୁପାତରେ ଦୁଇ କିମ୍ବା ତତୋଧିକ ସକ୍ରିୟ ଔଷଧ ଉପାଦାନ (ଏପିଆଇ)ର ମିଶ୍ରଣ ଥାଏ। ନିୟାମକ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ସୁରକ୍ଷା ଏବଂ ପ୍ରଭାବର ପୂର୍ବ ମୂଲ୍ୟାଙ୍କନ ବିନା କିଛି ଏଫଡିସି ଔଷଧକୁ ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନ ପାଇଁ ଲାଇସେନ୍ସ ଦିଆଯାଇଛି, ଯାହା ଜନସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି।