ଓଡ଼ିଶାରେ ହାଇଆଲର୍ଟ: ଡ୍ୟାମ୍‌, ବନ୍ଦର, ବିମାନବନ୍ଦର, ସାମରିକ ପ୍ରତିଷ୍ଠାନରେ ପାଟ୍ରୋଲିଂ

ଗୁରୁବାର ସନ୍ଧ୍ୟାରୁ ଭାରତ-ପାକ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୂର୍ବରୁ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଥିଲେ ମଧ୍ୟ ଆଜିର ସ୍ଥିତିକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି।

ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ସୁରକ୍ଷା କର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।ଆଜି ଡିଜିପି ଶ୍ରୀ ଖୁରାନିଆ ରାଜ୍ୟର ସମସ୍ତ ଡିଆଇଜି, ଆଇଜି ଓ ଏସ୍‌ପିଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ସମସ୍ତଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଶେଷକରି ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିକୁ ସବୁ ଦିଗରୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ସେହିପରି ହୀରାକୁଦ ଭଳି ବଡ଼ବଡ଼ ଡ୍ୟାମ୍‌, ବିମାନବନ୍ଦର ଓ ବନ୍ଦରଗୁଡ଼ିକର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ସମ୍ବେଦନଶୀଳ ଜାଗାଗୁଡ଼ିକରେ ଘନଘନ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ସମେତ ୪ଟି ଏୟାର୍‌ପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ରାଉରକେଲା ଓ ଜୟପୁର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି।

Ad 13