ଗୀତ ଗାଉ ଗାଉ ଜୀବନ ଗଲା ତୁଳସୀ ଗଣନାଟ୍ୟର କଣ୍ଠଶିଳ୍ପୀ ସଂଜୟ ପାତ୍ର
ମଂଚ ଉପରେ ଜୀବନ ଚାଲିଗଲା । ମୟୂରଭଂଜ ଜିଲ୍ଲା ଉଦଳାରେ ତୁଳସୀ ଗଣନାଟ୍ୟର ନାଟକ ମଂଚସ୍ଥ ହେଉଥିଲା । ଗୀତ ଗାଉଥିଲେ ଜଣାଶୁଣା କଣ୍ଠଶିଳ୍ପୀ ସଂଜୟ ପାତ୍ର । ନାଟକର ନାଁ ଥିଲା-ବରଷା ରାତିକୁ ଭରସା ନାହିଁ । ଟାଇଟଲ ଗୀତ ଗାଉଥିଲେ ସଂଜୟ, ଆଉ ସେହି ଗୀତ ଗାଇବା ସମୟରେ ଟଳି ପଡିଲେ । ଆଉ ତାଙ୍କ ମୃତ୍ୟୁକୁ ନେଇ ଓଡିଆ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି ।
କଣ୍ଠଶିଳ୍ପୀ ସଂଜୟ ପାତ୍ର ସମସ୍ତଙ୍କୁ ଅଲବିଦା କରି ଆରପାରିକୁ ଚାଲି ଯାଇଛନ୍ତି । ରବିବାର ରାତିରେ ନାଟକ ‘ବରଷା ରାତିକୁ ଭରସା ନାହିଁ’ ଚାଲିଥିଲା । ତୁଳସୀ ଗଣନାଟ୍ୟର ମୁଖ୍ୟ କଣ୍ଠଶିଳ୍ପୀ ସଂଜୟ ପାତ୍ର ନାଟକ ସାରା ଗାଉଥିଲେ ଟାଇଟଲ ଗୀତ । ନାଟକ ଚାଲିଥିବା ବେଳେ ସେ ଗୀତ ଗାଉଥିଲେ, ହଠାତ ଟଳି ପଡିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସବୁ କଳାକାର ଦୁଃଖରେ ଭାଙ୍ଗି ପଡିଛନ୍ତି ।
ସଂଜୟ ପାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କାନ୍ଥି ଭଉଁରୀ ଗାଁରେ । ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ । ସେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ବୟସ ମାତ୍ର ୪୭ ବର୍ଷ । ୧୬ ତାରିଖ ଦିନ ଗାଁକୁ ଆସି ଭୋଟ୍ ଦେବ ବୋଲି କହିଥିଲା । ଭୋଟ୍ ଆଗରୁ ସେ ଚାଲିଗଲେ । ସଂଜୟଙ୍କ ଅକାଳ ବିୟୋଗରେ ସାଥୀ କଳାକାରମାନେ ଭାଙ୍ଗି ପଡିଛନ୍ତି ।