ଥୁଆମୂଳ ରାମପୁର ବ୍ଲକ୍ ରେ ବଢୁଛି ବେଆଇନ ମଦ କାରବାର ସାଙ୍ଗକୁ ପ୍ରିଣ୍ଟ ଠାରୁ ଉଛ ଦରରେ ମଦ ବିକ୍ରି : ସବୁ ଜାଣି ଚୁପ୍ ଅବକାରିବିଭାଗ |
ଥୁଆମୂଳ ରାମପୁର,୨୯/୦୯-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ରେ ବେଆଇନ ମଦ କାରବାର ସାଙ୍ଗକୁ ବେନିୟମ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବ୍ଲକ୍ ରେ ବର୍ତ୍ତମାନ ଗୋଟିଏ ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ମୁଖ୍ୟ ଭାଟି ୪ଟି ଓ ବ୍ରାଞ୍ଚ ରହିଛି ୬ଟି ଭାଟି ସେ ଭାଟି ମାନଙ୍କ ନାମ ହେଲା ୧.ଥୁଆମୂଳ ରାମପୁର ଭାଟି, ୨.ସାଇସୁରୁଣି ଭାଟି, ୩.ଅଡ୍ରୀ(ବଡ଼ ବାଫଲା)ଭାଟି, ୪. ଲାଠିଆଗୁଡ଼ା ଭାଟି l ଏବଂ ତାହାର ବ୍ରାଞ୍ଚ ହେଲା ଥୁଆମୂଳ ରାମପୁର ଭାଟିର ବ୍ରାଞ୍ଚ- ଗୋପାଳପୁର, ସାଇସୁରୁଣି ଭାଟିର ବ୍ରାଞ୍ଚ – କାନୀଗୁମା ଏବଂ ଭେଜିଗୁଡ଼ା, ଅଡ୍ରୀ(ବଡ଼ ବାଫଲା) ଭାଟିର ବ୍ରାଞ୍ଚ – ବ୍ରାହ୍ମଣୀ ଚଞ୍ଚରା ଏଵଂ ମହୁଲପାଟଣା , ଲାଠିଆଗୁଡ଼ା ଭାଟିର ବ୍ରାଞ୍ଚ – ତାସିଗୁଡ଼ା ଭଳି ଦେଶୀମଦ ଭାଟି ଚାଲୁଛି। ଏତେ ସଂଖ୍ୟାରେ ମଦ ଦୋକାନ ଥିବା ସତ୍ତ୍ୱେ ବ୍ଲକ୍ ରେ ବ୍ୟାପକ ଭାବେ ବେଆଇନ ମଦ ବିକ୍ରି ହେଉଥିବା ସାଙ୍ଗକୁ ରାତି ୧ଘଣ୍ଟା ପର୍ଯ୍ୟନ୍ତ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି ଏହି ସରକାରୀ ସ୍ଵୀକୃତି ପ୍ରାପ୍ତ ଦୋକାନ ମାନେ l କେଉଁଠି ସରକାରଙ୍କ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ତୋ କେଉଁଠି ଦିନରାତି ୨୪ ଘଣ୍ଟା ଖୁଲମଖୁଲା ମଦ ବିକ୍ରି ହେଉଛି । ମଦ କାରବାରକୁ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀ ରୋକିବାରେ ଏକପ୍ରକାର ବିଫଳ ହୋଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ରେ ୨୪ ଟି ଗ୍ରାମ ପଞ୍ଚାୟତ ରହିଛି l ଏହି ସବୁ ପଞ୍ଚାୟତର ବିଭିନ୍ନ ଗ୍ରାମମାନଙ୍କ ସମେତ ସହରର ଅନେକ ଟିଫିନ୍ ଦୋକାନ ଏବଂ ଫାଷ୍ଟ ଫୋଡ୍ ଦୋକାନ ମାନଙ୍କରେ ବେଆଇନ ଭାବେ କୁଚିଆ ମଦ ଦୋକାନ ଖୋଲାଯାଇ ଦିନ ଦ୍ୱିପ୍ରହରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବ୍ଲକ୍ ର କିଆପଦର୍, କାର୍ଲାପାଟ, ପେରମଞ୍ଜି, ଗୁଣପୁର, କାନିଗୁମା, ଥୁଆମୂଳ, ସିନ୍ଧି ପଦର, ଶ୍ରିମସ୍କା, ନିଚେମସ୍କା, ଗୋପାଳପୁର, କୋଶାବରା, ତାସିଗୁଡ଼ା, ମହୁଲ ପାଟଣା ସ୍କୁଲ ଛକ୍, ମହୁଲପାଟଣା ବସ୍ତି, ପାଡେପଦର, ତଲନାଗି, ମାଲିଗାଁ, ବଣ୍ଡା ବାଗ, ସୂର୍ଯ୍ୟ ଗଡ, ଗୋପୀନାଥପୂର୍, ଅଡ୍ରୀ, ଡୁମେରପଦର, ତଳଝାପି ଛକ୍, କୁମ୍ଭାରକାନି, କାଠାକୁର ଛକ୍ ଆଦି ସ୍ଥାନରେ ବେଆଇନ ମଦ ଦୋକାନ ଖୋଲି ଅବକାରୀ ର ଛାତ୍ର ଛାୟା ତଳେ ଖୁଲମ୍ ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳୁଛି l

ମଦ ବିକ୍ରି ବନ୍ଦ ନେଇ ବହୁ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଓ ରାଜସ୍ବ ବୃଦ୍ଧି ଆଳରେ ଚୋରା ମଦ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ କି ବେଆଇନ ମଦ ବିକ୍ରି ବନ୍ଦ ହେଉନାହିଁ। ମଦ କାରବାର ବୃଦ୍ଧି ଯୋଗୁ ବହୁ ପରିବାରରେ ଅଶାନ୍ତି, ପାରିବାରିକ କଳହ ଲାଗି ରହିଥିବା ବେଳେ ହିଂସା ଘଟୁଛି। ଏହା ମଧ୍ୟ ବ୍ଲକ୍ ରେ ସଡକ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ଗୋଟିଏ ପଟେ ପ୍ରଶାସନ ମଦ୍ୟପାନ କରି ଗାଡିମୋଟର ନ ଚଳାଇବା ପାଇଁ ଲୋକଙ୍କୁ ସଚେତନ କରୁଛି। ଏପଟେ ଜିଲ୍ଲା ତଥା ବ୍ଲକ୍ ରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିଲେ ହେଁ ଏଥିପ୍ରତି କାହାରି ନଜର ଥିବା ପରି ମନେ ହେଉନାହିଁ। ବିଭିନ୍ନ ସ୍ଥାନରେ ସହଜରେ ମଦ ମିଳି ଯାଉଥିବାରୁ ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି। ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ନ ଲଗାଇଲେ ଆଗାମୀ ଦିନରେ ମଦ ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏମିତି କି ବ୍ଲକ୍ ରେ ବେଆଇନ୍ ସଟ୍ଟା ଖେଳ ଏବଂ ଗଞ୍ଜେଇ ବିକ୍ରି ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି l ଏନେଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀ ଧାରୁଆଙ୍କୁ ପଚାରିବାରୁ, ସେ ଏହି ବିଷୟରେ ଆଗରୁ ଅବଗତ ନଥିଲି କିନ୍ତୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି ବୋଲି ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ l ତେବେ ଦେଖିବାକୁ ବାକି ରହିଲା ସତରେ ଅବକାରୀ ବିଭାଗ ବେଆଇନ୍ ମଦ କାରବାର କେବେ ବନ୍ଧ କରୁଛି l