ଦୁର୍ବିସହ ଜୀବନ ଜିଉଁଛନ୍ତି ଜଳବନ୍ଦୀ ବାସୀ : ମୌଳିକ ସୁବିଧାରୁ ବଞ୍ଚିତ କାରବାଡି ଗାଁ !
ଥୁଆମୂଳ ରାମପୁର,୧୨|୫-(ଦୁର୍ଗା କୀର୍ତ୍ତି):- ବହୁମୁଖୀ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ନିର୍ମାଣ ହୋଇଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ଭାବେ ରହିଯାଇଛି ଅନେକ ଗ୍ରାମ। ଜଳଭଣ୍ଡାର ନିର୍ମାଣ ପାଇଁ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ଅନେକ ଗ୍ରାମର ଶହଶହ ଏକର ଚାଷ ଜମି ଘରଦ୍ଵାର ଏବଂ ଜୀବନ ଜୀବିକା ହରାଇ ଶହଶହ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଲା। ହେଲେ ଏହି ଜଳଭଣ୍ଡାର ଯୋଗୁଁ ଏବେବି ଅନେକ ଗାଁ ଜଳବନ୍ଦୀ ହୋଇ ରହିଯାଇଛି। ତନ୍ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନ ୧୭ ଖଣ୍ଡ ଗାଁର ଗ୍ରାମବାସୀ ଜଳବନ୍ଦୀ ଜୀବନ କାଟୁଛନ୍ତି। ସେଇ ଜଳବନ୍ଦୀ ଅଞ୍ଚଳକୁ ନେଇ ପୋଡାପଦର ନାମରେ ଏକ ପଞ୍ଚାୟତ ଗଠନ ହୋଇଛି। ସରକାର ଏହି ଅଞ୍ଚଳର ମୌଳିକ ସୁବିଧା ପାଇଁ ଯୋଜନା କରୁଛନ୍ତି। କିନ୍ତୁ ଏଥିରେ ଆନ୍ତରିକତାର ଘୋର ଅଭାବ ଦେଖିବାକୁ ମିଳିଥାଏ। ଶିକ୍ଷା ସ୍ବାସ୍ଥ୍ୟସେବା, ଗମନାଗମନ ,ପାନୀୟଜଳ ଭଳି ମୌଳିକ ସୁବିଧା ଆଜିବି ଅପହଞ୍ଚ ହୋଇ ରହିଯାଇଛି। ଏହାର ଏକ ଉଦାହରଣ ହେଉଛି ଆଦିବାସୀ ଗାଁ କାରବାଡି। ପୋଡାପଦର ପଞ୍ଚାୟତର ଏହି ଆଦିବାସୀ ଗାଁର ଚିତ୍ର ଅତ୍ୟନ୍ତ ଦୟନୀୟ। ପ୍ରାୟ ୨୮ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁକୁ ରାସ୍ତା ଖଣ୍ଡେ ନାହିଁ। ଜଳଭଣ୍ଡାରର ଅକାତକାତ ଜଳରାଶିରେ ଡଙ୍ଗା ହିଁ ଏକମାତ୍ର ସାଧନ। ଯେଉଁଥିପାଇଁ ପହଞ୍ଚି ପାରୁନି ସରକାରୀ ଯୋଜନା। ଅପହଞ୍ଚ ସ୍ବାସ୍ଥ୍ୟସେବା ଯୋଗୁଁ ବିଭିନ୍ନ ସମୟରେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଅନେକ ଯନ୍ତ୍ରଣା ସହିବାକୁ ପଡିଥାଏ। ଚିକିତ୍ସା ଅଭାବରୁ ନିରୀହ ମଣିଷର ଜୀବନ ମଧ୍ୟ ଚାଲିଯାଇଥିବା ନଜିର ରହିଛି। ଚିକିତ୍ସା ପାଇଁ ନିଜ ଜିଲ୍ଲା ନିଜ ବ୍ଲକ ନୁହଁ ଅନ୍ୟ ଜିଲ୍ଲାର ନିକଟସ୍ଥ ଡାକ୍ତରଖାନାକୁ ଯିବାକୁ ପଡିଥାଏ।ସ୍ବାସ୍ଥ୍ୟସେବା ହେଉ କିମ୍ବା ଘରକରଣା ପାଇଁ ଅତ୍ୟାବଶ୍ୟକୀୟ ଜିନିଷପତ୍ର ପାଇବା ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରର ସେଇ ଅକାତକାତ ଜଳରାଶିରେ ଡଙ୍ଗା ଉପରେ ଭରସା କରିବାକୁ ପଡିଥାଏ।ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଏବଂ ଖାତିଗୁଡା ଉପରେ ନିର୍ଭରଶୀଳ ହେବାକୁ ପଡିଥାଏ।ବ୍ଲକ ସଦର ମହକୁମା ପ୍ରାୟ ୬୫ କି:ମି ଦୂରରେ ରହିଥିବା ବେଳେ ଏଠିକାର ପ୍ରାୟ ୮୫ ପ୍ରତିଶତ ଲୋକେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାକୁ ଦେଖିନଥିବା ଜଣାପଡିଛି। ଯାହା ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ। କେବଳ ନିର୍ବାଚନ ସମୟରେ କେବେ କେମିତି କୌଣସି ନେତାଙ୍କ ଦର୍ଶନ ସହିତ ଅନେକ ମିଛ ପ୍ରତିଶ୍ରୁତି ମିଳିଥାଏ। ଗାଁରେ ପାନୀୟଜଳ ବ୍ୟବସ୍ଥା ଅତି ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଛି।ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣି ଏବଂ ନିକଟସ୍ଥ ପାହାଡ ତଳର ଦୂଷିତ ପାଣି ହିଁ ଏମାନଙ୍କ ତୃଷା ଓ ସ୍ନାନ ଶୌଚାଦିର ବ୍ୟବହାରରେ ଲାଗିଥାଏ। ଯେଉଁଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାକୁ ପଡିଥାଏ।ସରକାର ଏଇ ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣିକୁ ପାନୀୟଜଳ ଭାବେ ଅନ୍ୟ ଅଞ୍ଚଳକୁ ଯୋଗାଉଥିବା ବେଳେ ଏହି ସୁବିଧା ମଧ୍ୟ ସ୍ବପ୍ନ ପାଲଟିଛି।ଗାଁରେ ବିଦ୍ୟାଳୟ ନାହିଁ କି ଅଙ୍ଗନବାଡି କେନ୍ଦ୍ର ଟିଏ ନାହିଁ ବୋଲି ଶିକ୍ଷାରୁ ବଞ୍ଚିତ ଏଠିକାର କୋମଳମତୀ ଶିଶୁ। ଗାଁରେ ଜଣେ ଦୁଇଜଣ ପ୍ରାଥମିକ ଶିକ୍ଷା ପାଇଛନ୍ତି। ଏମାନଙ୍କୁ ଛାଡିଦେଲେ ସମସ୍ତେ ଅପାଠୁଆ ଏବଂ ନିରକ୍ଷର। ଛୋଟ ଠୁ ବଡ଼ ଯାଏଁ ସମସ୍ତେ ଆଙ୍ଗୁଠି ଛାପ ଉପରେ ଭରସା। ପ୍ରାୟ ୨ କି:ମି ପାହାଡ ଅତିକ୍ରମ କଲାପରେ ଲିଟିମସ୍କା ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବାକୁ ପଡିଥାଏ। ହେଲେ ପାହାଡିଆ ରାସ୍ତାରେ ନିଜ ଛୁଆଙ୍କୁ ଛାଡିବାକୁ ନାରାଜ ଥିବା ଜଣାପଡିଛି। ଏପରିକି ମାସ ମାସ ଧରି ଅଙ୍ଗନବାଡି ଦିଦିଙ୍କ ଦେଖା ମିଳୁନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିପାଇଁ ନଷ୍ଟ ହେଉଛି କୋମଳମତୀ ଶିଶୁଙ୍କ ଭବିଷ୍ୟତ।ଗାଁର ବସ୍ତିରେ କଂକ୍ରିଟ ରାସ୍ତା ଖଣ୍ଡେ ନାହିଁ।ଜୀବନ ଜୀବିକା ପାଇଁ ସବୁଦିନିଆ କୌଣସି ବ୍ୟବସ୍ଥା ନାହିଁ।ଦୁର୍ବିସହ ହୋଇପଡିଛି ଏମାନଙ୍କ ଜୀବନ। ନା ପଡୁଛି ପ୍ରଶାସନର ଦୃଷ୍ଟି ନା ପଡୁଛି ଜନପ୍ରତିନିଧିଙ୍କ ଦୃଷ୍ଟି। ଜଳବନ୍ଦୀ ଅଞ୍ଚଳର ଏଇ ସରଳ ନିରୀହ ଲୋକଙ୍କ ସମସ୍ୟା କେବଳ ଜଟିଳ ନୁହଁ ବିକଳ ମଧ୍ୟ।ସରକାର ଜଳବନ୍ଦୀ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି।ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହାର ବାସ୍ତବତା ଦେଖିବାକୁ ଭିନ୍ନ। ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ସେଥିରେ ପ୍ରଶାସନ ପକ୍ଷରୁ ତଦାରଖର ଅବହେଳା ସହିତ ବ୍ୟାପକ ଅନୀୟମିତତା ହେଉଥିବା ଅଭିଯୋଗ ମଧ୍ୟ ନଜରକୁ ଆସିଛି।ଏଭଳି ଦୁର୍ଗମ ଅଞ୍ଚଳରେ ହେଉଥିବା ଉନ୍ନୟନ ପ୍ରକଳ୍ପ ଗୁଡିକ କିପରି ଚାଲିଛି ସେଗୁଡିକର ଉଚିତ ତଦାରଖର ଆବଶ୍ୟକତା ରହିଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି l