ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ବିଡ଼ିଓଙ୍କୁ ୧୦ଦଫା ଦାବୀପତ୍ର ପ୍ରଦାନ l

ଥୁଆମୂଳ ରାମପୁର,୧୦/୦୨-(ଦୁର୍ଗା କୀର୍ତ୍ତି):- ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିପ୍ପଳନାରେ ତାଲିମ ଦେବା, ପ୍ରୋତ୍ସାହିତ କରିବା, ଏହି ଇ.ସି. ସଭାପତି ଓ ସମ୍ପାଦକଙ୍କ ସ୍ଵାକ୍ଷରରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କାର୍ଯ୍ୟ କରାଯାଇଥାଏ। ଏହି କାର୍ଯ୍ୟ ଦକ୍ଷତା ଗୋଟିଏ ବା ଦୁଇ ଦିନରେ ସମ୍ଭବ ହୁଏ ନାହିଁ । ଏମାନେ ମୌଳିକ ଆର୍ଥିକ, ସାମାଜିକ ଓ ସାଂଗଠନିକ ଅଧ୍ୟୟନ ଓ ଅଧ୍ୟବସାୟରେ ବହୁବାର ତାଲିମପ୍ରାପ୍ତ । ମାତ୍ର ବିଡ଼ମ୍ବନାର ବିଷୟ ଏହିକି ଯେ, ଏମାନଙ୍କୁ ପ୍ରତି ଦୁଇ ବର୍ଷକୁ ଥରେ ରିଷ୍ଟ୍ରକ୍‌ଚରିଙ୍ଗ ନାମରେ ଅସ୍ଥାୟୀତ୍ବର ଅନିଶ୍ଚିତତା ଭିତରେ ସ୍ଵଳ୍ପ ମାନଦେୟରେ ରଖାଯାଇଛି।

ଅବଶ୍ୟ ଓଡ଼ିଶାରେ ଇ.ସି.ମାନେ ମନୋନିତ ହେବା ଠାରୁ ଏପର୍ଯ୍ୟନ୍ତ ରିଷ୍ଟ୍ରକଚରିଙ୍ଗ ନାମରେ କେବେ ବହିଷ୍କୃତ ହୋଇନାହାଁନ୍ତି। ଓଡ଼ିଶାରେ ପ୍ରାଥମିକ ପର୍ଯ୍ୟାୟରେ ମନୋନିତ ମିଶନ ଶକ୍ତି ଇ.ସି.ମାନେ ୨୦୦୦ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନପାଇ ଅନବରତ ସେବା ଯୋଗାଇ ଆସିଥିଲେ, ଏବେ ଧାର୍ଯ୍ୟ ଗସ୍ତ ଭତ୍ତା ବ୍ୟବସ୍ଥା ଲାଗୁ ହେବାପରେ ଏହି ଇ.ସି. ମାନଙ୍କର ଦୀର୍ଘ ସେବାକୁ ଅବମୂଲ୍ୟାୟନ କରି ରିଷ୍ଟ୍ରକ୍‌ଚରିଙ୍ଗ ଆଳରେ ହଟାଇବା ସବୁଠାରୁ ଅଧିକ ବିଡ଼ମ୍ବନାର ବିଷୟ ଅଟେ । ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳ ସ୍ତରରେ କାର୍ଯ୍ୟ କରୁଥିବା ଜୀବିକା ମିଶନ ମହିଳାକର୍ମୀ ନିଜ କାର୍ଯ୍ୟ କ୍ଷେତ୍ରରେ ସ୍ଥାୟୀତ୍ବକୁ ନେଇ ସନ୍ଦୀହାନରେ ପଡିଛନ୍ତି।‌ ଯାହା ଫଳରେ ଏବେ କାର୍ଯ୍ୟରତ ଇସି ସଂଘ କର୍ମକର୍ତ୍ତା ବ୍ଳକ ଅଫିସରେ ଏହାର ତୁରନ୍ତ ସମାଧାନ ପାଇଁ ୧୦ ଦଫା ନେଇ ବିଡ଼ିଓଙ୍କ ଜରିଆରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ତତ୍କାଳୀନ ବିଜେଡି ସରକାରଙ୍କ ଅମଳରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସମାଜ ପ୍ରତି ଥିବା ତାଙ୍କ ଦାୟୀତ୍ବ ସମ୍ପର୍କରେ ଅଧିକ ସଚେତନ ହେବା ଉଦ୍ଦେଶ୍ୟରେ ଗାଁ ଗାଁ ରେ ଜୀବିକା ମିଶନ ପ୍ରକଳ୍ପରେ ଇ.ସି ମାନଙ୍କୁ ଅବୈତନିକ ଭାବେ ନିଯୁକ୍ତି ଦେଇଥିଲେ । ଗତ କରୋନା ମହାମାରୀ ସମୟରେ ସେମାନେ ନିଜର ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ଅହରହ ସଚେତନତା ସୃଷ୍ଟି କରିବାରେ ପ୍ରମୂଖ ଭୂମିକା ନିଭାଇଥିଲେ। ବର୍ତ୍ତମାନ ବିଜେପି ସରକାର ଆସିବା ପରେ ସେମାନଙ୍କୁ ମାସିକ ସ୍ବଳ୍ପ ପରିମାଣରେ ପାରିଶ୍ରମିକ ଦେବାର ବ୍ୟବସ୍ଥା କରିଛନ୍ତି। ତେବେ ସେମାନଙ୍କୁ ପ୍ରତି ୨ ବର୍ଷରେ ଛଟେଇ କରି ନୂତନ ଭାବେ ନିଯୁକ୍ତି କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଦୀର୍ଘ ୭/୮ ବର୍ଷ ଖଟିଥିବା ଇସି ମାନେ ଏବେ ବେରୋଜଗାର ହେବା ସହିତ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି। ତେଣୁ ସେମାନେ ୧୦ ଦଫା ଦାବିପତ୍ରରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ମିଶନ ଶକ୍ତି ବିଭାଗ ଅଧିନରେ ଜୀବିକା ମିଶନ ଓ ମିଶନ ଶକ୍ତି ଇ.ସିଙ୍କ ରିଷ୍ଟ୍ରକ୍‌ଚରିଙ୍ଗ ବନ୍ଦ, ସ୍ଵୟଂ ସହାୟକ ଗୋଷ୍ଠୀ ର ପ୍ରତ୍ୟେକ ମହିଳା ଙ୍କୁ ମାସିକ ଏକ ହଜାର ଟଙ୍କା ଭତ୍ତା ପ୍ରଦାନ, ତାଙ୍କ ବକେୟା ଭତ୍ତା ତୁରନ୍ତ ପ୍ରଦାନ ସହିତ ବିଭିନ୍ନ ସମସ୍ୟା ଉଲ୍ଲେଖ କରି AITUC ସହବନ୍ଧିତ ହୋଇ ନିଖିଳ ଓଡିଶା ଜୀବିକା ମିଶନ ଇ.ସି ସଂଘ ପକ୍ଷରୁ ସୋମବାର ଥୁଆମୁଳ ରାମପୁର ବ୍ଳକର ୨୪ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ଇ.ସି ମାନେ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏବଂ ଅଳ୍ପସମୟ ଧାରଣାରେ ବସି ରାଜ୍ୟ ସରକାରଙ୍କ ଉପ-ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଯଦି ସରକାର ତାଙ୍କ ମହିଳାଙ୍କ କଥା ନ ଶୁଣନ୍ତି ବା ତାଙ୍କ ନିଷ୍ପତ୍ତିର ପୁର୍ନବିଚାର ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବୁ ବୋଲି ବିଡ଼ିଓ ଙ୍କ ସମ୍ମୁଖରେ ଚେତାବନୀ ଦେଇଛନ୍ତି l