ପାକିସ୍ତାନ ହିନ୍ଦୁ ନାଗରିକମାନଙ୍କୁ ଦୀର୍ଘକାଳୀନ ଭିସା କଟକଣାରୁ ଛାଡ଼ କଲା ଭାରତ
ପାକିସ୍ତାନ ବିସା ରଦ୍ଦ କରିବାର ନିର୍ଦ୍ଦେଶକୁ ସଂଶୋଧନ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପାକିସ୍ତାନୀ ହିନ୍ଦୁ ନାଗରିକମାନଙ୍କୁ ଜାରି କରାଯାଇଥିବା ଦୀର୍ଘକାଳୀନ ଭିସା ବୈଧ ରହିବ ବୋଲି ଭାରତ ସ୍ପଷ୍ଟ କରିଛି। ହେଲେ ଏପ୍ରିଲ ୨୭ ତାରିଖରୁ ପାକିସ୍ତାନର ଅନ୍ୟ ନାଗରିକମାନଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ ହୋଇଯିବ।ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି “ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଜାରି ରଖି, ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ତୁରନ୍ତ ପ୍ରଭାବରୁ ଭିସା ସେବା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।” ସେହିପରି ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନ ଯିବାକୁ ଓ ପାକିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ଭାରତ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସାଧାରଣତଃ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ନାଗରିକମାନଙ୍କୁ ଭାରତ ପକ୍ଷରୁ ଦୀର୍ଘକାଳୀନ ଭିସା ପ୍ରଦାନ କରାଯାଏ। ଯେଉଁମାନେ ଦୀର୍ଘକାଳୀନ ଭାବରେ ଭାରତୀୟ ନାଗରିକତା ହାସଲ କରିବା ଉଦ୍ଦେଶ୍ୟରେ ସ୍ୱଳ୍ପକାଳୀନ ଭିସାରେ ଭାରତ ଆସନ୍ତି। ତେବେ ପାଞ୍ଚ ବର୍ଷର ଦୀର୍ଘକାଳୀନ ଭିସା ପାଇଁ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର – ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଯୋଗ୍ୟ ହୁଅନ୍ତି। ସେମାନେ ହିଁ ଆବେଦନ କରନ୍ତି। ତେବେ ପହଲଗାମ ଆତଙ୍କବାଦୀ ଘଟଣା ପରେ ଭାରତ ଏହାକୁ ବି ବନ୍ଦ କରିଦେଇଛି।