ବିଜୁ ବାବୁଙ୍କ ଜୟନ୍ତୀ! ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କଲେ ନବୀନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜୟନ୍ତୀ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେବେ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି।

ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।ଏହି ଅବସରରେ ସାରା ରାଜ୍ୟରେ ପାଳନ ହେଉଛି ବିଜୁ ଜୟନ୍ତୀ । ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ସମେତ ବିଜେଡି ବହୁ ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ମଧ୍ୟ ଉପସ୍ଥିତ ଥିଲେ।