ଭାଇରାଲ୍ ଭିଡ଼ିଓ ପରେ କ୍ଷମା ମାଗିଲେ ଭେଟେରାନ୍ ଅଭିନେତା ନାନା ପାଟେକର

ବଲିଉଡ ଅଭିନେତା ନାନା ପାଟେକର ନିଜର ଦମ୍‌ଦାର ଅଭିନୟ ଲାଗି ରହିଥାନ୍ତି ଚର୍ଚ୍ଚାରେ। ହେଲେ ଏବେ ଏକ ଭିଡିଓ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି।ଶୁଟିଂ ସେଟ୍‌ରେ ଜଣେ ଫ୍ୟାନ୍‌ ହଠାତ୍ ପଶି ଆସି ସେଲ୍‌ଫି ନେବାକୁ ଚେଷ୍ଟା କରୁଥିବା ବେଳେ ନାନା ତାଙ୍କ ମୁଣ୍ଡ ପଛକୁ ଠୋ କିନା ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳୁଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଲୋକେ ନାନା ପାଟେକରଙ୍କୁ କଡ଼ା ସମାଲୋଚନା କରିବା ସହ ତାଙ୍କୁ ଭିଲିଆନ ଭାବରେ ଚିତ୍ରଣ କରୁଛନ୍ତି।ନିର୍ଦ୍ଦେଶକ ଅନିଲ ଶର୍ମା ନାନାଙ୍କ ଭାଇରାଲ ଭିଡିଓ ପଛର ବାସ୍ତବତା ସମସ୍ତଙ୍କୁ କହିଛନ୍ତି। ଖବର ବିଷୟରେ ଜଣାପଡ଼ିବା ପରେ ସେ ସତ ସମସ୍ତଙ୍କୁ କହିବା ଉଚିତ ମଣିଥିଲେ।

ତେବେ ନାନା ବନାରସର ରାସ୍ତାରେ ନିଜର ଆଗାମୀ ଫିଲ୍ମର ଶୁଟିଂ କରୁଥିଲେ। ଏଥିରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାର ଥିଲା। ହେଲେ ଭିଡରେ ଥିବା କେହି ତାର ଭିଡିଓ ଭାଇରାଲ କରିଦେଇଛନ୍ତି। ଫଳରେ ନାନାଙ୍କୁ ନେଇ ଲୋକେ ଏଣୁତେଣୁ କହିବା ଆରମ୍ଭ କରିଛନ୍ତି। ନାନା କାହାକୁ ଚାପୁଡ଼ା ମାରି ନାହାନ୍ତି ବରଂ ତାହା ଏକ ଫିଲ୍ମର ଦୃଶ୍ୟ ବୋଲି ଅନିଲ ସ୍ପଷ୍ଟ କରିଛନ୍ତି।ଏକ ଜାତୀୟ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସୂଚନା ଦେଇ ଗଦର-୨ ନିର୍ଦ୍ଦେଶକ ଅନୀଲ ଶର୍ମା କହିଛନ୍ତି “ ମୁଁ ବର୍ତ୍ତମାନ ଏହି ଘଟଣା ବିଷୟରେ ଜାଣିଲି।

ମୁଁ ସେହି ଭିଡିଓକୁ ବର୍ତ୍ତମାନ ଦେଖୁଥିଲି। ନାନା କାହାକୁ ଚାପୁଡ଼ା ମାରି ନାହାନ୍ତି। ଏହା ମୋ ଫିଲ୍ମର ଏକ ଶଟ୍ ଥିଲା। ବନାରସର ମଝିରେ ରାସ୍ତାରେ ଆମେ ଫିଲ୍ମ ଶୁଟିଂ କରୁଥିଲୁ। ଏହି ସମୟରେ ନାନାଙ୍କ ପାଖକୁ ଜଣେ ପିଲା ଆସିବାର ଥିଲା ଓ ନାନା ତାଙ୍କୁ ଚାପୁଡ଼ା ମାରିବାର ଥିଲା। ଶୁଟିଂ ଚାଲିଥିବା ବେଳେ ନାନା ତାଙ୍କୁ ମାରିଥିଲେ।”

କିନ୍ତୁ ନାନା ପାଟେକର ନିଜେ ଏକ ଭିଡିଓ ଜାରି କରି ସୁଟିଂ ସେଟରେ ପ୍ରକୃତରେ କ’ଣ ଘଟିଥିଲା ସେନେଇ ପ୍ରକାଶ କରିଛନ୍ତି। ଏହି ଭିଡିଓରେ ନାନା କହିଛନ୍ତି, ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁଁ ଏକ ଯୁବକଙ୍କୁ ଚାପୁଡା ମାରିଛି। ଯଦିଓ ଏହି ସିନ୍ ଆମ ଚଳଚ୍ଚିତ୍ରର ଏକ ଅଂଶବିଶେଷ । ଏହି ଘଟଣା ପୂର୍ବରୁ ଆମେ ଏକ ରିହର୍ସଲ୍ କରିଥିଲୁ, ଯେଉଁଥିରେ ମୁଁ ଟୋପି ପିନ୍ଧି ଛିଡା ହୋଇଥାଏ ଏବଂ ଜଣେ ଯୁବକ ମୋତେ କମେଣ୍ଟ ମାରିବା ସହ ଏ ବୁଢା ଟୋପି ବିକ୍ରି କରିବୁ କି ପଚାରୁଛି। ଯାହାପରେ ମୁଁ ତାକୁ ପିଟିବାସହ ଏମିତି ବଦମାସି କରନି ବୋଲି କହୁଥାଏ । ଏହିଭଳି ଆମର ପ୍ରଥମ ରିହର୍ସଲ ସରିଯାଇଥିବା ବେଳେ ନିର୍ଦ୍ଦେଶକ ପୁଣିଥରେ ରିହର୍ସଲ କରିବାକୁ କହିଥିଲେ।

ଦୁର୍ଭାଗ୍ୟବଶତଃ ଠିକ୍ ସେହି ସମୟରେ ସମ୍ପୃକ୍ତ ଯୁବକ ସେଲଫି ନେବାକୁ ଆସିଥିଲେ। ଆଉ ମୁଁ ତାଙ୍କୁ ଟିମ୍ ମେମ୍ବର ଭାବି ଆକ୍ସନ ଆରମ୍ଭ କରିଥିଲି । ହେଲେ ମୋତେ ଜଣାନଥିଲା ଯେ ସେ ଆମ ଟିମ୍ ମେମ୍ବର ନୁହେଁ ବୋଲି, ନଚେତ୍ ମୁଁ ଏଭଳି କରିନଥାନ୍ତି।