ଭୁବନେଶ୍ୱର ଏମସକୁ ଚିକିତ୍ସା ସଂପର୍କିତ ତଥ୍ୟ ମାଗିଲା କଟକ ମର୍କତ ନଗର ପୁଲିସ୍

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା। ଭୁବନେଶ୍ଵର ଏମ୍ସକୁ ହ୍ୟୁମାନ ସାଗରଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ମାଗିଲା ପୋଲିସ। ଶବ ବ୍ୟବଚ୍ଛେଦ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ସନ୍ଦେହଜନକ ଓ ଏଥିରେ ୯ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ମର୍କତ ନଗର ଥାନାରେ ଏତଲା ଦେଇଥିଲେ ତାଙ୍କ ମାଆ। ଏତଲା ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପୂର୍ବରୁ ଆନୁସଙ୍ଗିକ ପ୍ରକ୍ରିୟ ସାରିବାକୁ ଉଦ୍ୟମ କରୁଛି ପୋଲିସ । ହ୍ୟୁମାନଙ୍କ ଫୋନ୍ ଡିଟେଲ, କଟକ ସ୍ଥିତ ବାସଭବନର ସିସିଟିଭି, ଏବଂ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ଏତଲା ଦାୟର କରିଛନ୍ତି ମାଆ ଶେଫାଳୀ । ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ସେମାନେ ହେଲେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର। ଚିକିତ୍ସା କରୁଥିବା ଡାକ୍ତର, ବାନ୍ଧବୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର। ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବଲୁ, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀଙ୍କ ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମାଆ ଶେଫାଳୀ ।