ମନରେଗା ଯୋଜନାରେ ଅନିୟମିତତା : ଗାଁସାଥିଙ୍କ ମନଇଚ୍ଛା ଚାଲିଛି କେନ୍ଦ୍ରୀୟ ମହତ୍ତ୍ୱପୂର୍ଣ୍ଣ ଯୋଜନା l

ଏନ୍ଏମଏମଏସ ରେ ଚଞ୍ଚକତାକରି ଅର୍ଥ ହରିଲୁଟ।

ଥୁଆମୂଳ ରାମପୁର,୨୭/୦୪-(ଦୁର୍ଗା କୀର୍ତ୍ତି):- କେନ୍ଦ୍ର ସରକାର ଗରିବ ଶ୍ରମିକ ମାନଙ୍କୁ ୧୦୦ ରୁ ୨୦୦ ଦିନକୁ ବୃଦ୍ଧି କରି ଶ୍ରମ ଦିବସ ସୃଷ୍ଟି କରିବା ଓ ଗରିବ ଲୋକେ ନିଜ ଗାଁ ଅଞ୍ଚଳରେ କାମ ନପାଇ ଯେମିତି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଘଟିବା ପାଇଁ ନଯିବା ବଦଳରେ ନିଜ ନିଜ ଗାଁରେ କାମ କରି ପରିବାର ପ୍ରତିପୋଷଣ କରିବା ଉଦ୍ଦେଶ୍ୟ ନେଇ ଏହି ମହାନ କାର୍ଯ୍ଯ ହାତକୁ ନେଇ ମନରେଗା ଯୋଜନା ମାଧ୍ୟମରେ କାମ ଯୋଗାଇବା ପାଇଁ ପ୍ରତିବଦ୍ଧତା ହୋଇଛନ୍ତି। ସେ ଅନୁସାରେ ଗାଁରେ ଏହି ମନରେଗା ଯୋଜନାକୁ ସଫଳ ରୂପାୟନ କରିବି ନିମନ୍ତେ ଗାଁସାଥି ଭାବରେ ଜଣେ ଲୋକଙ୍କୁ ଚୟନ କରାଯାଇଛି। କିନ୍ତୁ ଏହି ଗାଁସାଥି ମାନଙ୍କୁ ଦୌରାମ୍ଯ ଯୋଗୁଁ ମନରେଗା ଯୋଜନା ବାଟବଣା ହେଉଥିବା ଅଭିଯୋଗ ଆସୁଛି। କେଉଁଠି ଗାଁସାଥୀ ନିଜେ ଠିକାଦାର ସାଜିଛନ୍ତି ତୋ କେଉଁଠି ନିଜ ଉପସ୍ଥିତି ରେ ନିମ୍ନମାନର କିମ୍ବା ଅନିୟମିତତା କରୁଛନ୍ତି l ଗାଁସାଥୀଙ୍କ ଏଭଳି କାର୍ଯ୍ଯକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ଅଙ୍କୁଶ ଲଗା ଯାଉନଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଦର ଗ୍ରାମପଞ୍ଚାୟତ ସମେତ ବ୍ଲକ୍ ର କାଣୀଗୁମା, କିଆପଦର, ସିନ୍ଧିପଦର, ଗୋପାଳପୁର, ତଳନାଗି, ମାଳିଗାଁ, ସିଲେଟ ଭଳି ଅନେକ ଗ୍ରାମପଞ୍ଚାୟତରେ କିଛି ଗାଁସାଥି ଏବଂ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଏଭଳି କାମ l ମନରେଗା ଯୋଜନାରେ ଗାଁସାଥି, ଜିଆର୍ ଏସ, ଏଡିଇଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମିଶି ପ୍ରତ୍ୟେକ କାର୍ଯ୍ଯରେ ଚଞ୍ଚକତା କରି ଯୋଜନାରୁ ଟଙ୍କା ଉଠାଉଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗାଁସାଥି ମାନେ ପ୍ରକୃତ ଶ୍ରମିକଙ୍କ ଫଟୋ ବଦଳରେ ମୋବାଇଲ ଫୋଟୋକୁ ପୁଣି ଫୋଟୋ ଉଠାଇବା, ଜଣେ ଜଣେ ଶ୍ରମିକ ଏକା ଥରେକେ ଅନେକ ୱାର୍କ୍ ସାଇଡରେ ଛିଡ଼ା ହୋଇ ଫୋଟୋ ହେବା, ସରକାରୀ ପେନସନ ପାଉଥିବା ବୃଦ୍ଧ, ବୃଦ୍ଧା, ଛୋଟ ଛୋଟ ସ୍କୁଲ ଛୁଆଙ୍କୁ ଛିଡାକରି ଫୋଟୋ ଉଠାଇ ଅପଲୋଡ଼ କରିବା ଭଳି ଅନେକ ଘଟଣା ଗାଁ ସାଥି ମାନେ ମନଇଚ୍ଛା ଶ୍ରମିକ ହିସାବରେ ସେମାନଙ୍କ ଫଟୋକୁ ନରେଗା ମୋବାଇଲ ମନିଟରିଂ ସିଷ୍ଟମ (ଏନ୍ଏମଏମଏସ) ରେ ଅପଲୋଡ଼ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ଗାଁସାଥୀ କାମ ସାଇଡରେ ଖୁଦ୍ ଶ୍ରମିକ ରହି ସେଥିରୁ ଜିଓ ଟେଗ ଅନୁସାରେ (ଏନ୍ଏମଏମଏସ) କରି ଫୋଟୋ ଉଠାଇ ଅନଲାଇନ୍ ରେ ଲୋଡ୍ କରିବା ନିୟମ ରହିଥିବା ବେଳେ ମନରେଗା ନିୟମକୁ ଗାଁ ସାଥୀ ଉଲଘଂନ କରୁଥିବା ଘଟଣା ମନରେଗା ୱେବ୍ ସାଇଟ୍ ରେ ସବୁ ଜଳ ଜଳ ହୋଇ ଦେଖାଯାଉଛି l

ଏହାକୁ ନେଇ ଆମ ପ୍ରତିନିଧି କିଛି ଗାଁସାଥୀଙ୍କୁ ଏବିଷୟରେ ପଚାରିବାରୁ ସନ୍ତୋଷ ଜନକ ଉତ୍ତର ପାଇ ନଥିବା ବେଳେ ଏସମ୍ପର୍କରେ ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତ ଏଡିଇଓ ଭାଗିରଥି ଧଙ୍ଗଡା ମାଝୀ, ତଳନାଗି ଏଡିଇଓ ତୃପ୍ତି ରଞ୍ଜନ ଅଧିକାରୀ, ଗୋପାଳପୁର – ସିନ୍ଧିପଦର ଜିଆର୍ ଏସ ବୈକୁଣ୍ଠ ଦିଶାରି ଙ୍କୁ ଯୋଗାଯୋଗ କରି ପଚାରିବାରୁ ହଁ ଏମିତି ତୋ ହେବା କଥା ନୁହଁ ଆମେ ସେ ସବୁ କାମର ଜିରୋ କରିଦେବୁ ଏବଂ ଗାଁ ସାଥୀଙ୍କୁ କହିବୁ ପୁଣି ଡିମାଣ୍ଡ ମାରିବା ପାଇଁ ବୋଲି ଉତ୍ତର ଦେଇଥିବା ବେଳେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ ଙ୍କୁ ଏ ବିଷୟରେ ଅବଗତ କରାଯିବାରୁ ଆମେ ତଦନ୍ତ କରିବୁ ଏବଂ ସଂପୃକ୍ତ ଗାଁ ସାଥୀ ଏବଂ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି l

ଏଭଳି ଏହି ବ୍ଲକ୍ ପାଇଁ କିଛି ନୂଆକଥା ନୁହଁ ମନରେଗା ଯୋଜନା ଠାରୁ ଆରମ୍ଭ କରି ଏସଏଫ୍ସି, ସିଏଫ୍ସି ଭଳି ଅନେକ ଯୋଜନାର ଅର୍ଥ ହରିଲୁଟ କରିଥାନ୍ତି କିଛି ସରପଞ୍ଚ ଏବଂ ଗାଁ ସାଥିଙ୍କ ସହ ପଞ୍ଚାୟତ ଅଧିକାରୀ ମିଶି ଏବଂ ଶେଷରେ ଭିଜିଲାନ୍ସ ଦ୍ଵାରା ଗିରଫ ମଧ୍ୟ ହୁଅନ୍ତି l ତଥାପିବି ରାତା ରାତି କୋଟିପତି ହେବାର ସ୍ବପ୍ନ ଦେଖା ଛାଡ଼ୁ ନାହାନ୍ତି ଏମାନେ l ହଁ ଆଜ୍ଞା ଏଥିରେ ସ୍ପଷ୍ଟ ଜଣାପଡିଛି ଯେ ମନରେଗା ଯୋଜନାରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ଗାଁସାଥି ଉଭୟଙ୍କ ମଧ୍ୟରେ କାହାର କେତେ ଟଙ୍କା ଭାଗ ବଣ୍ଟା ହେଉଛି ଏଠାରୁ ସହଜରେ ଜଣାପଡୁଛି। ହେଲେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି।