ମୃତ୍ୟୁ ପରେ ବି ଅନ୍ୟ ପାଇଁ ବଞ୍ଚିବାର ସଂକଳ୍ପ: ଅଙ୍ଗଦାନ ପାଇଁ ଶପଥ ନେଲେ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି I

ଥୁଆମୂଳ ରାମପୁର, ୦୨/୦୧ (ଦୁର୍ଗା କୀର୍ତ୍ତି):ଜୀବନ ଥାଉ ଥାଉ ସମାଜର ସେବା ଏବଂ ମୃତ୍ୟୁ ପରେ ପରାର୍ଥେ ନିଜକୁ ଉତ୍ସର୍ଗ କରିବା—ଏଭଳି ଏକ ବିରଳ ମାନବିକତାର ନିଦର୍ଶନ ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ଯୁବ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି)। ସ୍ୱର୍ଗତ ଧବଳେଶ୍ୱର ଦୁର୍ଗାଙ୍କ କନିଷ୍ଠ ପୁତ୍ର ତଥା ତାଳବନ୍ଧ ପଡ଼ାର ବାସିନ୍ଦା କୀର୍ତ୍ତି, ନିଜ ମୃତ୍ୟୁ ପରେ ଶରୀରର ମୂଲ୍ୟବାନ ଅଙ୍ଗ ପ୍ରତ୍ୟଙ୍ଗକୁ ଦାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା NOTTO ନିକଟରେ ଶପଥ ଗ୍ରହଣ କରିଛନ୍ତି। ଗତ ୫ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମ ସହ ଦୈନିକ ‘ଧରିତ୍ରୀ’ ଖବରକାଗଜରେ ଜଡ଼ିତ ରହି ଦୁର୍ଗା କୀର୍ତ୍ତି ଅଞ୍ଚଳର ଅସହାୟ ଓ ନିଷ୍ପେସିତଙ୍କ ସ୍ୱର ସାଜିଛନ୍ତି।

ନିଜର ନିର୍ଭୀକ ଲେଖନୀ ପାଇଁ ଅନେକ ସମୟରେ ତାଙ୍କୁ ପ୍ରାଣନାଶ ଧମକ ମିଳିଥିଲେ ହେଁ, ସେ କେବେ ପଛଘୁଞ୍ଚା ଦେଇନାହାନ୍ତି। ତାଙ୍କ ମତରେ, “କଲମ ଧରିଥିବା ଯାଏଁ ସମାଜ ପାଇଁ ଲଢ଼ିବି ଏବଂ ମୃତ୍ୟୁ ପରେ ମୋ ଶରୀର ଅନ୍ୟ କାହାର ଅନ୍ଧାର ଜୀବନରେ ଆଲୋକ ଭରିଦେଉ, ଏହା ହିଁ ମୋର ଶେଷ ଇଚ୍ଛା।”ଏହି ସମ୍ପର୍କରେ କୀର୍ତ୍ତି ଥୁଆମୂଳ ରାମପୁର ଥାନାରେ ଏକ ଲିଖିତ ଆବେଦନ କରି ପୋଲିସ ପ୍ରଶାସନକୁ ଅବଗତ କରାଇଛନ୍ତି। ଜରୁରୀକାଳୀନ ପରିସ୍ଥିତି କିମ୍ବା କୌଣସି ଅଘଟଣ କ୍ଷେତ୍ରରେ ତାଙ୍କର ଯକୃତ, ବୃକକ, ହୃଦୟ, ଫୁସଫୁସ, ଅଗ୍ନାଶୟ ସମେତ ଚକ୍ଷୁ ଓ ପ୍ରମୁଖ ଟିସୁଗୁଡ଼ିକୁ ସରକାରୀ ପ୍ରକ୍ରିୟା ମାଧ୍ୟମରେ ସଂଗ୍ରହ କରାଯାଇ ଅନ୍ୟ ଜୀବନ ରକ୍ଷା ପାଇଁ ବିନିଯୋଗ କରିବାକୁ ସେ ଅନୁମତି ପ୍ରଦାନ କରିଛନ୍ତି। ଏକ ଅତି ସାଧାରଣ ଆର୍ଥିକ ପଛୁଆ ପରିବାରରୁ ଆସିଥିବା କୀର୍ତ୍ତିଙ୍କ ଜୀବନ ସଂଘର୍ଷରୁ ଶିକ୍ଷା ପାଇ ଶିଖିଛି। ପିଲାବେଳୁ ପିତାଙ୍କୁ ହରାଇ ମଧ୍ୟ ସେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। “ଜୀବନ ପରେ ବି ବଞ୍ଚିବାର ସୁଯୋଗ” ନାରାକୁ ପ୍ରକୃତରେ ସାର୍ଥକ କରିଥିବା ଏହି ଯୁବ ସାମ୍ବାଦିକଙ୍କ ପଦକ୍ଷେପକୁ ସାରା କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ପ୍ରଶଂସା କରାଯାଉଛି।