ମୌଳିକ ସୁବିଧାରୁ ବଞ୍ଚିତ ବାର୍ଷିକୋଣା ଗାଁ : ପ୍ରଶାସନିକଙ୍କ ଦୃଷ୍ଟି ଆଢ଼ୁଆଳରେ ନିରୀହ ଗ୍ରାମବାସୀ !
ଥୁଆମୂଳ ରାମପୁର, ୨୪/୪-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାର୍ଷିକୋଣା ଗ୍ରାମବାସୀ ସ୍ଵାଧୀନତାର ୭୮ ବର୍ଷପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ବାର୍ଷିକୋଣା ଗ୍ରାମବାସୀ ବ୍ଳକ ସଦର ମହକୁମାକୁ ଯିବାପାଇଁ ହେଲେ ପ୍ରାୟ ୧୫ ରୁ ୧୮ କିମି ଚାଲିଚାଲି ଯିବାକୁ ପଡ଼ିଥାଏ। ଏହି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ, ସ୍ଵାସ୍ଥ୍ୟ ସେବା, ଉତ୍ତମ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି କେନ୍ଦ୍ର, ଯୋଗାଯୋଗ ପାଇଁ ଭଲ ରାସ୍ତାଟିଏ ମଧ୍ୟ ନ ଥିବା ଯୋଗୁଁ ବର୍ଷ ତମାମ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ ଏହି ବାର୍ଷିକୋଣା ଗ୍ରାମର ଭଟାପଡ଼ା, ଗମ୍ଭାରିଗୁଡ଼ା, ମୁଣ୍ଡିଘାଟି ର ପ୍ରାୟ ୫୦ ରୁ ୬୦ ପରିବାରକୁ l

ଏହି ଗ୍ରାମକୁ ରୋଗୀ, ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ସାତ ସପନ ପାଲଟି ଥିବା ବେଳେ ଅନେକ ସମୟରେ ରୋଗୀ, ଗର୍ଭବତୀଙ୍କୁ ଖଟିଆରେ ବୋହି ନେଲେ ଯାଇ ଇନ୍ଦ୍ରାବତୀ କେନାଲ ରାସ୍ତା ରୁ ଆମ୍ବୁଲାନ୍ସ ସେବା ମିଳିଥାଏ । ପାନୀୟ ଜଳ ପାଇଁ ନାମକୁ ମାତ୍ର ବସୁଧା ଯୋଜନା କିନ୍ତୁ କେବେ ଏହାର ସୁଫଳ ସ୍ଥାନୀୟ ଜନସାଧାରଣଙ୍କୁ ମିଳେ ନାହିଁ । ଯେଉଁ ଗ୍ରାମ କୁ ସବୁଦିନିଆ ପାଇଁ ଭଲ ରାସ୍ତାଟିଏ ନାହିଁ ସେଠାରେ ଶିକ୍ଷା ସ୍ଵାସ୍ଥ୍ୟ ପାନୀୟ ଜଳ ଭଳି ସୁବିଧା କଥା ନ କହିବା ଭଲ । ଉକ୍ତ ଗ୍ରାମରେ ବିଦ୍ୟାଳୟ ଅଛି ସତ ହେଲେ ସଠିକ୍ ଭାବରେ ପିଲାଙ୍କ ପାଠପଢ଼ା ହୁଏ ନାହିଁ l ରାସ୍ତା ସମସ୍ୟା ପାଇଁ କେବେ ଶିକ୍ଷକ ଆସନ୍ତି କେବେ ନାହିଁ l ସରକାରୀ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ତାର ଭରପୁର ଫାଇଦା ଉଠାଇବା ସହଜ ସାଧ୍ୟ ହୋଇ ଯାଇଛି । ଏଭଳି ପରିସ୍ଥିତିରେ ବ୍ଳକ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ କେବେ ମଧ୍ୟ ଏମାନଙ୍କର ମୌଳିକ ଅଧିକାର ଓ ସୁବିଧା ବିଷୟରେ ଚିନ୍ତା ମଧ୍ୟ କରିନାହାଁନ୍ତି। ତେଣୁ ବ୍ଲକ୍ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୌଳିକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।