ସବୁ କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଗିଦ୍-୭ ଘଣ୍ଟା ଡ୍ୟୁଟି ବାଧ୍ୟତାମୂଳକ
ବାୟୋମେଟ୍ରିକ ବ୍ୟବହାର କରୁନଥିବା ପ୍ରିନ୍ସପାଲ ଓ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛି ବିଭାଗ । ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ବ୍ୟବହାର କରିବାକୁ ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ ବାଧ୍ୟ ବୋଲି କୁହାଯାଇଛି । ତେବେ ୭ ଘଣ୍ଟିଆ କର୍ତ୍ତବ୍ୟ ନିୟମ ଉଲ୍ଲଂଘନର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ସହ, ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ ହାଜିରା ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ଦେଖାଦେଇଛି।
ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ, କେତେକ ପ୍ରିନ୍ସିପାଲ ନିଜେ ଏହି ନିୟମ ଉଲ୍ଲଂଘନ କରୁଛନ୍ତି, କିନ୍ତୁ ଅନ୍ୟ କର୍ମଚାରୀଙ୍କ ସମାନ କାର୍ଯ୍ୟ ପାଇଁ କଡ଼ା ମନୋଭାବ ଗ୍ରହଣ କରୁଛନ୍ତି। ଚିଠି ଅନୁସାରେ, କେତେକ ପ୍ରିନ୍ସିପାଲ ଓ କର୍ମଚାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ନ ଦେଇ ମହାବିଦ୍ୟାଳୟରୁ ଅନୁପସ୍ଥିତ ରହୁଛନ୍ତି।ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରିନ୍ସିପାଲମାନଙ୍କୁ ଏହି ନିୟମ ମାନିବା ସହ ଅନ୍ୟ କର୍ମଚାରୀମାନଙ୍କୁ ଏ ଦିଗରେ ମାର୍ଗଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।