ସ୍କୁଲରେ ତାଲା ମାରିଲେ ଜମି ମାଲିକ : ବାହାରେ ପଢୁଥିଲେ ଛୁଆଅଧିକାରୀଙ୍କ ବୁଝାମଣା ପରେ ପରିସ୍ଥିତି ସ୍ବାଭାବିକ I
ଥୁଆମୂଳ ରାମପୁର,୦୭/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର୍ ବ୍ଲକରେ ୧୭୧ଟି ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି।ତନ୍ମଧ୍ୟରୁ ୫୨ ଟି ବିଦ୍ୟାଳୟ ବେସରକାରୀ ଜାଗାରେ ସ୍ଥାପନା କରାଯାଇଛି। ଯାହା ଫଳରେ ବିଭିନ୍ନ ସମୟରେ ଜମି ମାଲିକଙ୍କ ଦ୍ବାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଥାଏ। ଏପରିକି ବିଦ୍ୟାଳୟର ପାରିପାର୍ଶ୍ବିକ ବିକାଶ କାମରେ ମଧ୍ୟ ବାଧକ ହୋଇଥାଏ। ଏପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା ବ୍ଲକର ସଦର ଗ୍ରାମ ପଞ୍ଚାୟତ ଅଧୀନ ତେରଙ୍ଗାସିଲ୍ ପ୍ରାଥମିକ ବିଦ୍ୟାଳୟରେ। ୨୦୦୭ ମସିହାରେ ଏହି ଗାଁରେ ବିଦ୍ୟାଳୟ ସ୍ଥାପନା କରାଯିବା ନେଇ ଗ୍ରାମବାସୀଙ୍କ ଆଲୋଚନା ହୋଇଥିଲା।ଯେଉଁଥିରେ ବିଦ୍ୟାଳୟ ସ୍ଥାପନା ପାଇଁ ଗ୍ରାମରେ ଏକ ଜାଗା ଆବଶ୍ୟକ ପଡିଥିଲା। ଗ୍ରାମର ବିଦ୍ୟାଧର ନାଏକ ଗାଁ ରାସ୍ତା କଡରେ ଥିବା ନିଜର ଜାଗା ଦେବାପାଇଁ ରାଜି ହୋଇଥିଲେ। ହେଲେ ବିଦ୍ୟାଳୟରେ ଯେକୌଣସି କାର୍ଯ୍ୟକ୍ରମ ହୁଏ ସେଥିରେ ତାଙ୍କୁ ପ୍ରାଥମିକତା ଦେବା ନେଇ କିଛି ମୌଖିକ ସର୍ତ୍ତ ରଖିଥିଲେ।

କିନ୍ତୁ ଏଥିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ବଳରେ ସେ ସୋମବାର ମଧ୍ୟାହ୍ନ ଭୋଜନ ପରେ ପରେ ବିଦ୍ୟାଳୟରେ ତାଲା ମାରିଥିଲେ। ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ବାହାରେ ପାଠ ପଢାଯାଇଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାଏକ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ
ବୁଧବାର ଭାରପ୍ରାପ୍ତ ବି.ଆର୍.ସି ହେମନ୍ତ ପଣ୍ଡା ଏବଂ ଏ.ବି.ଇ.ଓ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ସି.ଆର୍.ସି.ସି ଅମର ସିଂ ମାଝୀ, ଥୁଆମୂଳ ରାମପୁର ସି.ଆର୍.ସି.ସି ଝଜରୁ ମାଝୀ, ବିରିକୋଟ ସି.ଆର୍.ସି.ସି ଜୟ ସିଂ ମାଝୀ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରି ଜମି ମାଲିକ ବିଦ୍ୟାଧର ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ନାଏକ ସହିତ ଆଲୋଚନା ସହ ତାଲା ଖୋଲିବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟରେ ଯେକୌଣସି କାର୍ଯ୍ୟକ୍ରମ ହୁଏ ତେବେ ଆପଣଙ୍କୁ ପ୍ରାଥମିକତା ଦିଆଯିବ ସହ ପ୍ରତି ବର୍ଷ ଆପଣଙ୍କୁ ଆମ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଦୁଇ ଶ୍ରେଣୀ କକ୍ଷକୁ ଆପଣ ଦୁଇ ସ୍ବାମୀ ସ୍ତ୍ରୀଙ୍କ ନାମରେ ନାମାଙ୍କିତ କରାଯିବା ସହିତ ପ୍ରଶାସନ ପକ୍ଷରୁ ଯଦି ସମ୍ଭବ ହୁଏ ସହଯୋଗ କରାଯିବ ବୋଲି ପରିଦର୍ଶନରେ ଆସିଥିବା ଅଧିକାରୀ ମାନେ କହିଥିଲେ। ଯାହାକୁ ନେଇ ଜମି ମାଲିକ ବିଦ୍ୟାଧର ରାଜି ହୋଇ ବିଦ୍ୟାଳୟର ତାଲା ଖୋଲିଥିଲେ।ଫଳରେ ବିଦ୍ୟାଳୟ ସ୍ବାଭାବିକ ଢଙ୍ଗରେ ଚାଲିଥିବା ସୂଚନା ଦେଇଛନ୍ତି ଏ.ବି.ଇ.ଓ ହେମନ୍ତ କୁମାର ପଣ୍ଡା। ପ୍ରଶାସନ ଏହି ସବୁ ବିଦ୍ୟାଳୟ ଗୁଡିକର ସ୍ଥାୟୀ ସମାଧାନ ନକଲେ ଏଭଳି ସମସ୍ୟା ବାରମ୍ବାର ଦୃଷ୍ଟିକୁ ଆସିବା ସହିତ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।