୩ଗାଁରେ ଖଣି ଖନନର ବ୍ଲାଷ୍ଟିଂକୁ ବିରୋଧ Iଅନୁଧ୍ୟାନ ପାଇଁ ଜିଲା ପ୍ରଶାସନର ଘଟଣା ସ୍ଥଳ ପରିଦର୍ଶନ I
ଥୁଆମୁଲ ରାମପୁର ୨।୨ (ଦୁର୍ଗା କିର୍ତ୍ତୀ)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୂର୍ଯ୍ୟଗଡ଼, କନରଫାସ ଓ ଦୂରମୂଷି ବିଭିନ୍ନ ଅଞ୍ଚଳରେ ଗତ ସପ୍ତାହ ଧରି ଉତ୍କଳ ଆଲୁମିନା ପକ୍ଷରୁ ବ୍ଲାଷ୍ଟିଂ କରି ଖଣି ଖନନ କରାଯାଉଥିଲା। ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ଜନ ପ୍ରତିନିଧି। ବିସ୍ଥାପିତ ଲୋକଙ୍କୁ ପ୍ରଥମେ କମ୍ପାନୀ କ୍ଷତି ପୂରଣ ଦେଉ ବୋଲି ଦାବି କରି ଗତ ୩ ଦିନ ହେଲା ସ୍ଥାନୀୟ ଲୋକେ ଏହି ଖଣି ଖନନ କୁ ବନ୍ଦ କରିବା ସହ ପ୍ରତିବାଦ କରିଛନ୍ତି। ଯାହାଫଳରେ ଅନୁଧ୍ୟାନ ପାଇଁ ଶନିବାର ଘଟଣା ସ୍ଥଳକୁ ଜିଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ଉପଜିଲାପାଳ ପ୍ରଭାତ ପରିଡା, ଥୁଆମୁଲ ରାମପୁର ତହସିଲଦାର ନିରୋଜ କୁମାର ଭତ୍ରା ପ୍ରମୁଖ ଘଟଣା ସ୍ଥଳକୁ ଯାଇ ବିସ୍ଥାପିତ ଲୋକଙ୍କୁ ବୁଝାସୁଝା କରିଥିଲେ। କମ୍ପାନୀ ପ୍ରତିଶ୍ରୁତି ଦେଇଥିବା କ୍ଷତି ପୂରଣ ପ୍ରଦାନ କରା ନ ଗଲା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ବିସ୍ଥାପିତ ମାନେ ପ୍ରକାଶ କରିଥିଲେ। ଫଳରେ ଅଧିକାରୀ ମାନେ ଘଟଣା ସ୍ଥଳରୁ ନିରାଶ ହୋଇ ଫେରିଥିଲେ।
ପ୍ରକାଶ ଯେ,ଖଣି ଖନନ ପୂର୍ବରୁ କମ୍ପାନୀ ପକ୍ଷରୁ ଲୋକଙ୍କୁ କ୍ଷତି ପୂରଣ ଦିଆ ଯିବା ନେଇଁ ପ୍ରତିଶ୍ରୁତି ଦିଆଯାଇଥିଲା।ହେଲେ ଲୋକଙ୍କୁ କ୍ଷତି ପୂରଣ ଏଯାଏ ମିଳି ନଥିବା ବେଳେ ହାଇକୋର୍ଟ ନିର୍ଦ୍ଦେଶକୁ ମଧ୍ୟ କମ୍ପାନି ବେଖାତିର କରିଛି । ଉତ୍କଳ ଆଲୁମିନା ସହିତ ଖଣି ଖନନ ପାଇଁ ରାୟଗଡ଼ା ଜିଲାପାଳ, ଓଡ଼ିଶା ଖଣି ନିଗମ ଓ କମ୍ପାନି ମଧ୍ୟରେ ବୁଝାମଣା ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। କଳାହାଣ୍ଡି ଜିଲାର ୩ଟି ଗାଁରେ ଖଣି ଖନନ ଥିବା ବେଳେ ଚୁକ୍ତିପତ୍ରରେ କଳାହାଣ୍ଡି
ପରିବର୍ତ୍ତେ ରାୟଗଡ଼ା ଜିଲାପାଳ ଖଣିଖନନ ପାଇଁ ଅନୁମତି ଦେବା ଘଟଣା ତଦନ୍ତସାପେକ୍ଷ। କଳାହାଣ୍ଡି ଓ ରାୟଗଡ଼ା ଜିଲା ସ୍ଥିତ ବଫଳାମାଲି ବକ୍ସାଇଟ ବ୍ଲକ ଖନନ ନିମନ୍ତେ ରାଜ୍ୟ ସରକାର ୧୯୯୭ ମସିହା ଜୁନ ୧୦ ତାରିଖରେ ଓଡ଼ିଶା ଖଣି ନିଗମ ଲିମିଟେଡ୍କୁ ଖଣି ପଟ୍ଟା ପ୍ରଦାନ କରିଥିଲେ। ୧୯୯୮ ମସିହା ଜଙ୍ଗଲ ଜମିପଟ୍ଟା ଫେବ୍ରୁଆରି ୧୭ ତାରିଖରେ ଏହି ଖଣି ପଟ୍ଟା ରେଜିଷ୍ଟ୍ରେସନ ସମ୍ପାଦିତ ହୋଇଥିଲା ଏଥିରେ ୧୦୦% ରପ୍ତାନିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସର୍ଭେ ଅନୁଯାୟୀ ୨୦୦୦ ମସିହା ଜୁନ୍ ୨୬ ତାରିଖରେ ଉତ୍କଳ ଆଲୁମିନା ଇଣ୍ଟର ନ୍ୟାସନାଲ ଲିମିଟେଡ୍କୁ ଖଣି ପଟ୍ଟା ହସ୍ତାନ୍ତର କରିଥିଲେ। ଏହି ରେଜିଷ୍ଟ୍ରେସନରେ ରାୟଗଡ଼ା ଜିଲାପାଳ, ଉତ୍କଳ ଆଲୁମିନା କମ୍ପାନି ଓ ଓଏମ୍ସି
ମଧ୍ୟରେ ସ୍ବାକ୍ଷର ହୋଇଥିଲା। କିନ୍ତୁ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକର ସୂର୍ଯ୍ୟଗଡ଼, କନାରପାସ ଓ ଦୂର୍ମୁଷି ଅଞ୍ଚଳରେ ଖଣି ଖନନ ହେଉଥିବାବେଳେ କଳାହାଣ୍ଡି ଜିଲାପାଳଙ୍କୁ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରାଯାଇ ନଥିଲା । ସମସ୍ତ ଏଗ୍ରିମେଣ୍ଟ ଶେଷ ହେବା ପରେ କେବଳ ଖଣି ଖନନ ନିମନ୍ତେ କଳାହାଣ୍ଡି ଜିଲାପାଳ ୨୦୦୪ ମସିହା ଅକ୍ଟୋବର ୫ ତାରିଖରେ ସରଫେସ ରାଇଟ୍ ପ୍ରଦାନ କରିଥିଲେ ।

ରାୟଗଡ଼ା ଜିଲାର ଖଣି ଖନନ ନେଇ ବିସ୍ଥାପିତ ହୋଇଥିବା ଲୋକେ କ୍ଷତିପୂରଣ ପାଇ ସାରିଛନ୍ତି। କିନ୍ତୁ କଳାହାଣ୍ଡି ଜିଲାର କନାରପାସ, ସୂର୍ଯ୍ୟଗଡ଼ ଓ ଦୂର୍ମୁଷି ଗ୍ରାମର ଲୋକେ କ୍ଷତିପୂରଣ ପାଇନାହାନ୍ତି। ବର୍ଷ ବର୍ଷ ଧରି ଖଣି ଖନନ କରି ବିସ୍ଥାପିତ ହୋଇଥିବା ଲୋକଙ୍କୁ ରାୟଗଡ଼ା ଜିଲାପାଳ ନା’ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ କ୍ଷତିପୂରଣ ପ୍ରଦାନ କରାଯିବ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଏଥିରେ ହସ୍ତକ୍ଷେପ କରୁ ନଥିବା ଯୋଗୁଁ ଆଦିବାସୀମାନେ ନିଜର ପ୍ରାପ୍ୟ ପାଇ ପାରୁନାହାନ୍ତି। କଳାହାଣ୍ଡି ଜିଲାର ଆର୍ପିଡିଏସି ବୈଠକରେ ଏନେଇ ବାରମ୍ବାର ଉଦ୍ବେଗ ପ୍ରକାଶ ପାଇଆସୁଛି। ଖଣି ଖନନ କରାଯାଇଥିବା ଅଞ୍ଚଳ ସେମାନଙ୍କର ଓ ଆଦିବାସୀମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଆଦିବାସୀ ଲୋକମାନେ ଗରିବ ହୋଇଥିବା ଯୋଗୁଁ କୋର୍ଟର ଦ୍ଵାରସ୍ଥ ମଧ୍ୟ ହୋଇପାରୁ ନାହାନ୍ତି। ଏ ନେଇ ହାଇକୋର୍ଟ ତୁରନ୍ତ ସେମାନଙ୍କ ସହିତ କଥାବାର୍ତ୍ତା ଜରିଆରେ ଆପୋସ ବୁଝାମଣା ପାଇଁ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମ୍ପାନି ପକ୍ଷରୁ ଏପର୍ଯ୍ୟନ୍ତ
କୌଣସି ବୁଝାମଣା ହୋଇ ନଥିବା ବେଳେ ଜୋରଜବରଦସ୍ତ ଗତ ଏକ ସପ୍ତାହ ଧରି ବ୍ଲାଷ୍ଟି କରି ଖଣି ଖନନ ଆରମ୍ଭ କରିଛି।
ଏହାକୁ ଗୋପୀନାଥପୁର ସରପଞ୍ଚ ଧନସିଂ ମାଝୀ, ମାଳିଗାଁ ପଞ୍ଚାୟତ ସମିତି ସଭ୍ୟ ବଳଦେବ ଗୌଡ଼ଙ୍କ ସମେତ ଅନେକ ଜନ ପ୍ରତିନିଧି ଏବଂ
ଖଣି ପ୍ରଭାବିତ ଅଞ୍ଚଳର ସହ ସହ ଜନସାଧାରଣ ତଥା ଆଦିବାସୀମାନେ ତୀବ୍ର ବିରୋଧ କରିଛନ୍ତି। ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ଘଟଣାର ସରଜମିନ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।