ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ: ପ୍ରଶାସନ ନିଦ୍ରାରେ, ସାହାଯ୍ୟର ହାତ ବଢାଇଲେ ବିଧାୟକ I
ଥୁଆମୂଳ ରାମପୁର,୨୧/୦୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଗତ ୨୦୨୪ ମସିହାରେ ବାପା ଲକ୍ଷ୍ମଣ ମାଝୀଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଥିଲା। ଏହି ଶୋକ ସମ୍ଭାଳି ନଥିବା ବେଳେ ଚଳିତ ମାସ ୧୦ ତାରିଖରେ ମାଆ ସାନମତି ମାଝୀଙ୍କ ମୃତ୍ୟୁ ୬ଟି ଛୋଟ ପିଲାଙ୍କୁ ସମ୍ପୂର୍ଣ୍ଣ ଅସହାୟ ଓ ବେସାହାରା କରିଦେଇଛି। ବର୍ତ୍ତମାନ ୪ ଝିଅ ଓ ୨ ପୁଅ— ଲକ୍ଷ୍ମୀ, ଭୂମିତା, ଚମ୍ପା, ନବୀନ, ଚାନ୍ଦୁ ଓ ସବିତା ମାଝୀ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।
ରାଜ୍ୟ ସରକାର ନିଜକୁ ‘ଲୋକଙ୍କ ସରକାର’ ବୋଲି ଦାବି କରୁଥିବା ବେଳେ ଏହି ଅନାଥ ଶିଶୁଙ୍କ ପାଖରେ ନା ବ୍ଲକ ପ୍ରଶାସନ ପହଞ୍ଚିଛି ନା ଜିଲ୍ଲା ପ୍ରଶାସନ। ଏପରିକି ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ମଧ୍ୟ ପରିଦର୍ଶନରେ ଯାଇ ନଥିବା ଅଭିଯୋଗ ହୋଇଛି। ଏହି ଖବର ପାଇବା ପରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କର ଏକ ପ୍ରତିନିଧି ଦଳକୁ ତୁରନ୍ତ ଗ୍ରାମକୁ ପଠାଇଛନ୍ତି। ବୁଧବାର ମାଆଙ୍କ ଦଶାହ କର୍ମ ଅବସରରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ ଯୁବ ସଭାପତି ପ୍ରଦୀପ ନାଏକ, ସରପଞ୍ଚ ନୀଳାଦ୍ରି ମାଝୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ପହଞ୍ଚି ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଗ୍ରାମର ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିଙ୍କ ସହ ଏକ ବୈଠକ କରାଯାଇ ପିଲାମାନଙ୍କୁ ସୁରକ୍ଷିତ ଭବିଷ୍ୟତ ପାଇଁ ଶିଶୁ ମଙ୍ଗଳ କମିଟି (CWC) କିମ୍ବା କିସ୍ (KISS) ପରି ଅନୁଷ୍ଠାନରେ ରଖିବାକୁ ଆଲୋଚନା ହୋଇଛି। ବାପା-ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ନଥିବା ଯୋଗୁଁ ଆଗାମୀ ଦିନରେ ଏହି ଶିଶୁମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ବିଧାୟକ ଶ୍ରୀ ଦିଶାରୀ ଜିଲ୍ଲା ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ୬ ଅନାଥ ଶିଶୁଙ୍କ ଶିକ୍ଷା ଓ ରହିବା ଖାଇବାର ଦାୟିତ୍ୱ ସରକାର ତୁରନ୍ତ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।