ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୧୪ରେ ଗଣତି

ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା ।ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୧୪ ପ୍ରତିଶତ ଭୋଟିଂ ହୋଇ ଛି। ନୂଆପଡାରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଛି । ମୈଦାନରେ ଅଛନ୍ତି ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝି । ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି । ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ ।