ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ । ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନ ଯିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି । ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ୨୭ ତାରିଖ ରାତିରେ ରାଷ୍ଟ୍ରପତି ରାଜଭବନରେ ରହଣି କରିବେ ।ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ । ସେ ୨୮ ତାରିଖ ସକାଳ ୯ଟା ୩୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ଲକ୍ଷେ୍ନø ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ବସିଥିଲା । ଅପରାହ୍ନରେ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା, ରାଜଭବନରେ ରହଣି, କାରକେଡ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଆବଶ୍ୟକ ପାସ୍ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା ।