ୱେବ୍‌ ପୋର୍ଟାଲ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ଅନୁ ଚୌଧୁରୀ

ମିଥ୍ୟା ଖବର ପ୍ରଚାର କରିଥିବା ଏକ ୱେବ୍‌ ପୋର୍ଟାଲ ବିରୋଧରେ ଅଭିଯୋଗ ଆଣି ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅନୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ଫଟୋ ସହ ଏକ ନ୍ୟୁଜ୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଉକ୍ତ ୱେବ୍‌ ପୋର୍ଟାଲ ବିରୋଧରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖବରରେ କୁହାଯାଇଥିଲା କି ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଛି । ଏହା ଜାଣିବା ପରେ ଆଇନର ଆଶ୍ରୟ ନେଇଛନ୍ତି ଅନୁ । ସେ କହିଛନ୍ତି ମୁଁ ସୁସ୍ଥ ଅଛି।

କିନ୍ତୁ ଏକ ନ୍ୟୁଜ୍‌ ୱେବ୍‌ ପୋର୍ଟାଲ ଖବର ପ୍ରକାଶ କରି ମୋତେ କ୍ୟାନସର ହୋଇଛି ବୋଲି କହିବା ନିହାତି ହୀନ ମାନସିକତାକୁ ଦର୍ଶାଉଛି। ଏଭଳି କୁଶ୍ଚିତ ମାନସିକତା ଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। ନ୍ୟୁଜ୍‌ ପୋର୍ଟାଲ କରି ମିଥ୍ୟା ଖବର ପ୍ରସାରଣ କରି ଟଙ୍କା ରୋଜଗାର କରିବା ଠିକ ଉପାୟ ନୁହେଁ। ପୂର୍ବରୁ ମଧ୍ୟ ମୋ ଭଳି ଅନ୍ୟ କଳାକାରଙ୍କୁ ନେଇ ଗୁଜବ ଖବର ପ୍ରକାଶିତ ହୋଇଛି।

ଲୋକଙ୍କୁ ଆକର୍ଷିତ କଲା ଭଳି ଖବର ପ୍ରକାଶନ ଦ୍ୱାରା ଆମକୁ ହଇରାଣ ହେବାକୁ ପଡୁଛି। ଅନେକ ଲୋକଙ୍କର ଫୋନ କଲ୍‌ ଆସୁଛି। ପରିବାର ଲୋକେ ବ୍ୟସ୍ତ ହେଉଛନ୍ତି। ଶସ୍ତା ମାନସିକତା ନେଇ ଏଭଳି ଖବର ପ୍ରକାଶ କରି ରୋଜଗାରର ପନ୍ଥା ଖୋଜନ୍ତୁ ନାହିଁ ବୋଲି ଅନୁ ଭିଡିଓ ଜାରି କରି କହିଛନ୍ତି।