ଆଜିଠାରୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା।
ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସକାଳ ସାଢ଼େ ୧୦ଟାରୁ ଏକ୍ସଜାମ୍ ଆରମ୍ଭ ହେବ । ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ଯାଏ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ଏପ୍ରିଲ ୪ ଯାଏ ଚାଲିବ । ଆଜି ପ୍ରଥମ ଦିନରେ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ରହିଛି । ୨୦ ତାରିଖରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ ତାରିଖରେ ହୋମ୍ ସାଇନ୍ସ ପରୀକ୍ଷା ରହିଛି। ସେହିପରି ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀର ଏଣ୍ଟରପ୍ରିନୁଅରସିପ୍ ବିଷୟ ପରୀକ୍ଷା ହେବ । ଏଥର ସାରା ଦେଶରେ ୭, ୮୪୨ ଏବଂ ବିଦେଶରେ ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ସିବିଏସଇର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ୱେବକାଷ୍ଟ ବ୍ୟବସ୍ଥା କରାଯାଇଛି ।
ଏଥିରେ କେନ୍ଦ୍ର ଅଧୀକ୍ଷକ, ଉପକେନ୍ଦ୍ର ଅଧୀକ୍ଷକ, ସହକାରୀ ଅଧୀକ୍ଷକ, ନଗର ସଂଯୋଜକ ଓ ପର୍ଯ୍ୟବେକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା । ଏଥିରେ ମୂଲ୍ୟାୟନ ପ୍ରୋଟୋକଲ ଏବଂ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।