କଟକରେ ମୁନୁ ଭାଇଙ୍କ ଗୁଆଘିଅ ଚା’

କଟକ ବାରବାଟୀ ଷ୍ଟାଡିୟମ ପାଖରେ ରହିଛି ମୁନୁ ଭାଇଙ୍କ ଗୁଆଘିଅମାର୍କା ଚା’ ଦୋକାନ। ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାବେଳେ ମୁନୁ ଭାଇଙ୍କ ଦୋକାନକୁ ଆସନ୍ତୁ, ଆଉ ଗୁଆଘିଅ ଚା’ର ମଜା ନିଅନ୍ତୁ।କଟକରେ ଅନେକ ଚା’ ଦୋକାନ ରହିଛି। କିନ୍ତୁ ମୁନୁ ଭାଇଙ୍କ ଗୁଆଘିଅ ଚା’ର ସ୍ଵତନ୍ତ୍ର ସ୍ଵାଦ ପାଇଁ ପ୍ରତିଦିନ ତାଙ୍କ ଦୋକାନକୁ ଶହ ଶହ ଗ୍ରାହକଙ୍କ ଭିଡ଼ ହୋଇଥାଏ। ଦୀର୍ଘ ୨୨ ବର୍ଷ ଧର କଟକିଆଙ୍କୁ ଏକ ନିଆରା ଚା’ର ସ୍ଵାଦ ଦେଇଥିବା ମୁନୁ ଭଆଇଙ୍କ ପୂରା ନାଁ ହେଉଛି ବ୍ରଜକିଶୋର ଦେ। ଘର କଟକର ଶେଖ ବଜାର ଅଞ୍ଚଳରେ। ବୟସ ପାଖାପାଖି ୭୦ ହେବ। କିନ୍ତୁ ଏ ବୟସରେ ବି ମୁନୁ ଭାଇ ନିଜ ନିଆରା ଚା’ ବ୍ୟବସାୟ ପାଇଁ କଟକରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

କାହିଁକି ହେଲେ ଚା’ ବ୍ୟବସାୟୀ? ମୁନୁ ଭାଇଙ୍କ ଚା’ ଦୋକାନ କରିବା ପଛରେ ଏକ ଲମ୍ଵା କାହାଣୀ ରହିଛି। ଚା’ ଦୋକାନ କରିବା ପୂର୍ବରୁ ୧୯୭୫ ମସିହା ବେଳକୁ କଟକ ଚଣ୍ଡୀ ମନ୍ଦିର ପାଖରେ ଆରିଷ୍ଟପ ନାମରେ ଏକ ଟେଲର ଦୋକାନ କରିଥିଲେ ମୁନୁ ଭାଇ। ସେତେବେଳ ସମୟରେ ଟେଲର ଜଗତରେ ତାଙ୍କର ବେଶ୍ ଭଲ ନାଁ ଥିବା ରହିଥିବା ନେଇ ସେ କହନ୍ତି। ତେଣୁ ନୂଆ ନୂଆ ସୁଟ୍, କୋଟ୍, ଡିଜାଇନର କୁର୍ତ୍ତା ଆଦିପାଇଁ ମୁନୁ ଭାଇଙ୍କ ପାଖକୁ ଗ୍ରାହକମାନେ ଛୁଟି ଆସୁଥିଲେ।

କିନ୍ତୁ ଯେତେବେଳେ ରେଡିମେଟ୍ ଡ୍ରେସର ଚାହିଦା ବଢ଼ିଗଲା, ଆଗଭଳି ଲୋକେ ଆଉ କୋଟ୍, ସୁଟ୍ ତିଆରି କରିବାପାଇଁ ରାଜି ହେଲେନି। ଟେଲର ବ୍ୟବସାୟ ମାନ୍ଦାରେ ଚାଲିଲା। ତେଣୁ ୧୯୯୮ ମସିହା ବେଳକୁ ଟେଲର ଦୋକାନ ବନ୍ଦ କରି ଚା’ ଦୋକାନ କରିବାକ ମନ ବଳାଇଲେ ମୁନୁ ଭାଇ। ଗଡ଼ଗଡ଼ିଆ ମନ୍ଦିର ପାଖରେ ପ୍ରଥମେ ୨ ଲିଟର କ୍ଷୀରରେ ଚା’ କରି ଏକ ଦୋକାନ ଆରମ୍ଭ କଲେ। କ୍ରମେ ମୁନୁ ଭାଇଙ୍କ ଚା’ ପିଇବାକୁ ଲୋକେ ପସନ୍ଦ କଲେ। ଦୋକାନରେ ଭିଡ଼ ବଢ଼ିଲା। ତେଣୁ ବାରବାଟୀ ପଡ଼ିଆକୁ ଦୋକାନକୁ ସ୍ଥାନାନ୍ତର କରାଗଲା। ଏବେ ପ୍ରତିଦିନ କୁଇଣ୍ଟାଲରୁ ଅଧିକ କ୍ଷୀରରେ ଚା’ ବ୍ୟବସାୟ କରୁଛନ୍ତି ମୁନୁ ଭାଇ। ଗୋଟେ କପ୍ ଗୁଆଘିଅ ଚା’ର ଦାମ୍ ରହିଛି ମାତ୍ର ୧୦ ଟଙ୍କା।