ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ

ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଯେଉଁ ଜିଲ୍ଲାର ମଣ୍ଡିଗୁଡିକରେ କୌଣସି କାରଣ ବଶତଃ ଧାନ ସଂଗ୍ରହ ହୋଇପାରୁନାହିଁ, ସେହି କ୍ଷେତ୍ରରେ ନିକଟତମ ଜିଲ୍ଲାର ମଣ୍ଡିରେ ଚାଷୀମାନେ ନିଜର ଧାନକୁ ବିକ୍ରି କରିପାରିବେ । ସଂଗୃହିତ ଧାନର ଅନଲାଇନ ପଞ୍ଜୀକରଣ ହେବ ଆବଶ୍ୟକ । ଧାନ ନେଇ ଯାଉଥିବା ଗାଡି ଗୁଡିକର ଜିପିଏସ ଟ୍ରାକିଂ କରାଯିବ।ଯେପରିକି ଏଥିରେ କୌଣସି ଟାମ୍ପରିଂ ନ ହେବ। ମିଲରମାନଙ୍କ ତରଫରୁ ଚାଷୀଙ୍କୁ ଝୋଟ ବସ୍ତା ଓ ସୁତୁଲି ଯୋଗାଇଦିଆଯିବ । ଗଚ୍ଛିତ ଫସଲର ସୁରକ୍ଷା ପାଇଁ ୫୮ଟି ଶୀତଳ ଭଣ୍ଡାର ରାଜ୍ୟରେ ଖୁବ ଶୀଘ୍ର ଖୋଲାଯିବ। ରାଜ୍ୟର ଚାଷୀମାନେ କେବଳ ଗୋଟିଏ ଫସଲ ଉପରେ ନିର୍ଭର ନ କରି ଏକାଧିକ ଫସଲ ଜୈବିକ ଉପାୟରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏଗ୍ରି ଷ୍ଟାକ (AGRI STACK) ଆପ ସୃଷ୍ଟି କରାଯାଇଛି ।