ନିଆରା ଢଙ୍ଗରେ କୁମ୍ଭାର ସମାଜର ସାମୁହିକ ବ୍ରତ ମହୋତ୍ସବ l
ଥୁଆମୂଳ ରାମପୁର,୦୯/୦୫-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲାରେ କିଛି ପରିବାର ମଧ୍ୟରେ ନିଜ ନିଜର ନବ ବ୍ରହ୍ମଚାରୀ ପୁଅ ଓ ଝିଅଙ୍କର ଶୁଭ ବ୍ରତୋପନୟନ ନିଜ ଘରେ ନିଜ ବନ୍ଧୁ ବାନ୍ଧବ ସମେତ୍ ଅନ୍ଯାନ୍ଯ ଲୋକଙ୍କୁ ନିମନ୍ତ୍ରଣ କରି ଉତ୍ସବ ମହା ଆଡମ୍ବରେ ଆୟୋଜନ କରୁଥିବା ଦେଖିବାକୁ ମିଳୁଥିବା ବେଳେ କିନ୍ତୁ ଏହା ଠାରୁ ଅଧିକ ହୃଦୟସ୍ପର୍ଶୀ ବ୍ରତୋପନୟନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ବାଲିସରା ଗ୍ରାମର କୁମ୍ଭାର ପଡ଼ା ଠାରେ l

ଗ୍ରାମର କୁମ୍ଭାର ସମାଜ ପକ୍ଷରୁ ନିଆର ଢ଼ଙ୍ଗରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମର ଆୟୋଜନ କରଜାଇଥିବା ବେଳେ ଏଥିରେ ସମୁଦାୟ ୨୯ ଜଣ କୁମ୍ଭାର ସମାଜ ର ପୁଅ ଏବଂ ଝିଅଙ୍କର ସାମୁହିକ ବ୍ରତୋପନୟନ ବୁଧବାର ମହା ଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଜୟ ନାଏକ, ଚକ୍ର ନାଏକ, ଧନ ଚଲାନ, ବିମଲେନ୍ଦୁ ମହାପାତ୍ର, ରତ୍ନା ଚଲାନ, ଦୈତ୍ୟ ଚଲାନ ପ୍ରମୁଖଙ୍କ ତତ୍ବାବଧାନର ଆୟୋଜିତ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ବାଳ ବ୍ରହ୍ମଚାରୀ ପୁଅ ୧୨ ଜଣ ଓ ଝିଅ ୧୭ ଜଣଙ୍କୁ ନେଇ
ଗ୍ରାମ ମଝିରେ ଏକତ୍ରିତ ଭାବରେ ବ୍ରତୋପନୟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଦୃଶ୍ୟ ବେଶ ମନଛୁଆଁ ହୋଇଥିବା ଦେଖିବାକୁ ମିଳିଥିଲା।
ତେବେ ବାଲିସରା ଗ୍ରାମବାସୀଙ୍କ କହିବା ଅନୁସାରେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ନିଜେ ବ୍ରତ କରିବାକୁ ସେତେ ସକ୍ଷମ ନଥିବାରୁ ଦୀର୍ଘ ଆଠ ବର୍ଷଧରି ବାଲିସରା ଗାଁରେ ଏଭଳି ସାମୁହିକ ଭାବରେ ଶ୍ରୀ ବ୍ରତୋପନୟନ କାର୍ଯ୍ୟକ୍ରମକୁ ଗ୍ରାମର ସମସ୍ତଙ୍କ ସହଯୋଗରେ ଆୟୋଜନ କରୁଥିବା ବେଳେ ଉଭୟ ଉଭୟଙ୍କ ମଧ୍ୟରେ ଭାଇ ଚାରାରର ଭାବ ଜାଗ୍ରତ କରୁଥିବା ଜଣାପଡିଛି। ଏହି ବ୍ରତୋପନୟନ ଉତ୍ସବରେ ଗ୍ରାମର ଆବାଳ ବୃଦ୍ଧବନିତା ଏକତ୍ରିତ ଭାବରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଅଞ୍ଚଳରେ ଉକ୍ତ ବାଲିସରା ଗ୍ରାମକୁ ପ୍ରଶଂସା କରୁଥିବା ଜଣାପଡିଛି।