ପୁଣି ଦୁର୍ଗମ ଅଞ୍ଚଳରୁ ଆସିଲା ଦାଦନ ଦୁଃଖ : ସପ୍ତାହ ମଧ୍ୟରେ ଗଲାଣି ବ୍ଲକକୁ ୨ଟି ଦାଦନ ଶ୍ରମିକଙ୍କ ଶବ l

ଥୁଆମୂଳ ରାମପୁର,୦୩/୧୧-(ଦୁର୍ଗା କୀର୍ତ୍ତି):- ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ଯକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ବରଣ ତଥା ନିଖୋଜ ହେଉଥିବା ଘଟଣା ମଧ୍ୟ ଥମିବାର ନାଁ ନେଉନାହି। ନିଜ ଗାଁରେ କାମଧନ୍ଦା ଅଭାବ ଯୋଗୁଁ ନିଜ ପରିବାର ପ୍ରତିପୋଷଣ ଉପାୟ ନପାଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ ବିଭିନ୍ନ ଦୁର୍ଘଟଣା ଜନିତ ଘଟଣାରେ ମୃତ୍ୟୁବରଣ କରୁଥିବା ଘଟଣା ଏବେ ମୁଣ୍ତ ବ୍ଯଥାର କାରଣ ସାଜିଛି। ଗତ କିଛି ଦିନ ତଳେ ପୋଡ଼ାପଦର ଗ୍ରାମ ପଞ୍ଚାୟତ ଅଧିନରେ ଥିବା କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଦାଦନ ଖଟିବା ପାଇଁ ଘରୁ ବାହାରି ଆନ୍ଧ୍ର ପ୍ରଦେଶ ଯାଇଥିଲେ ଏବଂ ଦାଦନ ଯାଇ କିଛି ଦିନ କାମ କରିବା ପରେ ଟ୍ରେନ ଲାଇନ୍ ରେ କଟି ମୃତ୍ୟୁ ବରଣ କରି ଶବ ହୋଇ ଘରକୁ ଫେରିଥିବା ବେଳେ ଆଉ ଏକ ଦାଦନ ଶ୍ରମିକ ମୃତ୍ୟୁବରଣ କରିଥିବା ଘଟଣା ସମ୍ମାନକୁ ଆସିଛି ବ୍ଲକର କାଣିଗୁମା ଗ୍ରାମପଞ୍ଚାୟତ ଠାରୁ । ସୂଚନାରୁ ଜଣାପଡିଛି ଯେ ଗତ ୧୫ ଦିନ ତଳେ କାଣିଗୁମା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଜବାଙ୍ଗ ଗ୍ରାମର ଜନୈକ ବ୍ଯକ୍ତି ଶୁକ୍ରୃ ମାଝୀଙ୍କ ପୁଅ ଉଦୟ ମାଝୀ (୩୬) ଗାଁରେ କାମଧନ୍ଧା ଅଭାବରୁ ପରିବାର ପ୍ରତିପୋଷଣ ତଥା ଝିଅର ଉଚ୍ଛ ଶିକ୍ଷା ପଢାଇବା ପାଇଁ କେରଳ ରାଜ୍ଯର କୋଝିକୋଡେ ଜିଲ୍ଲା ଏଲାଥୁର ଥାନା ଅନ୍ତର୍ଗତ କାକ୍କୁର ଗ୍ରାମଠାରେ ଏକ ଠିକ ସଂସ୍ଥାଙ୍କ ପାଖରେ କାମ କରିବାକୁ ଯାଇଥିଲେ l ହେଲେ ଗତ ୧ତାରିଖ ଦିନ ସେଠାରେ କାମ କରୁଥିବା ସମୟରେ ଘର ସୁରକ୍ଷା ପାଚେରୀ କାନ୍ଥ ଭୁଷୁଡି ତାଙ୍କ ଉପରେ ପଡିବାରୁ କାନ୍ଥ ତଳେ ପୋତି ହୋଇଯାଇ ମୁଣ୍ଡରେ ଗୁରୁତର ଆହତ ହୋଇ ଫସି ରହିଥିଲେ। ପରେ ସ୍ଥାନୀୟ କିଛି ସାମ୍ବାଦିକ ଓ ପୋଲିସ ପ୍ରଶାସନ ମିଳିତ ଉଦ୍ୟମରେ ସେଠାରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଘଟଣା ଘଟି ୨ଦିନ ପରେ ସ୍ଥାନୀୟ ପୋଲିସ ଏବଂ ମେଡିକାଲ ର ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ ସୋମବାର ଦିନ ସକାଳ ୯ଟା ବେଳେ ନିଜ ଭିଟାମାଟିକୁ ଶବ ପହଞ୍ଚିଥିବା ବେଳେ ଘଟଣାକୁ ନେଇ ପରିବାର ତଥା ଗାଁରେ ସୋକର ଛାୟା ଖେଳିଯାଇଥିବା ବେଳେ ଗ୍ରାମ ଲୋକ, ସମାଜ ଭାଇ ବନ୍ଧୁବାନ୍ଧବଙ୍କ ଗହଣରେ ଗ୍ରାମ ଶ୍ମଶାନରେ ହିଁ ଶବ ଦାହ କରାଯାଇଥିଲା। ସରକାର ପରେ ସରକାର ବଦଳୁଛି, କିନ୍ତୁ ବଦଳୁ ନାହିଁ ଦୁର୍ଗମ ଅଞ୍ଚଳର ଶ୍ରମିକଙ୍କ ଭାଗ୍ୟ। ରୀତିମତ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବା ଥୁଆମୂଳ ରାମପୁର ବ୍ଲକ ର ଶ୍ରମିକ କିଏ ମୃତ୍ୟୁ ବରଣ କରୁଛି ତ ପୁଣି କିଏ ନିଖୋଜ ହେଉଛି। ପ୍ରଶାସନ ପକ୍ଷରୁ କୌଣସି ନିରାକରଣ ନାହିଁ । ଯାହା ଅତ୍ୟନ୍ତ ପରିତାପର ବିଷୟ ବୋଲି ବିଭିନ୍ନ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।