ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର : ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ l
ଥୁଆମୂଳ ରାମପୁର, ୧୦/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର – କିର୍କିଚା ଗ୍ରାମରେ ଜଣେ ୩୦ ବର୍ଷିଆ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚାନ୍ଚଲ୍ୟ ଖେଳିଯାଇଛି l ମିଳିଥିବା ସୂଚନା ଅନୁସାରେ ଗ୍ରାମର ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ର ବାରଣ୍ଡାରେ ରବିବାର ସକାଳୁ ଜଣେ ଯୁବକଙ୍କ ରକ୍ତ ଯୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ସକାଳୁ ଅଙ୍ଗନୱାଡି କେନ୍ଦ୍ରରେ ଅଜଣା ବ୍ୟକ୍ତିଙ୍କ ଏଭଳି ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୨୨/୨୫ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ କୁ ମଧ୍ୟ ସୂଚନା ଦେଇଥିଲେ ।

ସୂଚନା ପାଇ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରତ୍ୟେକ ଦିଗରେ ଯାଞ୍ଚ କରି ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ବେଳେ ଯୁବକଙ୍କ ମୃତ ଦେହରେ ଅନେକ କ୍ଷତ ଥିବା ଜଣାପଡ଼ିଛି। ଏପରିକି ତାଙ୍କ ମୁଣ୍ଡ ରେ ବଡ଼ ପଥର ରେ ଛେଚା ଯାଇଥିବା ବେଳେ ଜଙ୍ଘ ରେ ମଧ୍ୟ ଗଭୀର ଆଘାତ ହୋଇଛି । ମୃତ ଯୁବକ ଜଣକ ଭବାନୀପାଟଣା ସହର ଥାନା ସ୍ଥିତ ତେନ୍ତୁଳି ପଡ଼ା ର ରତ୍ନାକର ନାଏକଙ୍କ ପୁଅ ଧରଣୀ ନାଏକ(୩୦) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ସେ ଗତ କିଛି ଦିନ ତଳେ କୌଣସି କାମ ନେଇ କିର୍କିଚା ଗ୍ରାମକୁ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ l ହେଲେ ପୁଅର ଏଭଳି ମୃତ୍ୟୁ ଖବର ପୋଲିସ ଠାରୁ ଶୁଣି ପରିବାର ଲୋକେ କର୍ଲାପାଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କ୍ରମେ ପୋଲିସ ୧୦୩(୧) ଭାରତୀୟ ନ୍ୟାୟ ସଂହିତା ଧାରାରେ ସବୁ ଦିଗରେ ତଦନ୍ତ ଚାଲିଛି ସାଇଣ୍ଟିଫିକ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ କୋଳକା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିବା ବେଳେ କିଏ ଓ କାହିଁକି ଏଭଳି ଜଘନ୍ୟ ହତ୍ୟା କରିଛି ପୂର୍ବରୁ ବ୍ୟକ୍ତି ଙ୍କ ସହ କାହା ଶତ୍ରୁତା ଥିଲା କି ? କାହିଁକି ଅନ୍ୟ ବ୍ଲକ୍ ର ଯୁବକଙ୍କୁ ଏଭଳି ହତ୍ୟା କରାଯାଇଛି ବୋଲି ଅଞ୍ଚଳରେ ଚର୍ଚା ଜୋର୍ ଧରିଛି l ତେବେ ଜିଲ୍ଲା ଆରକ୍ଷ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ଯିଏବି ଦୋଷୀ ତାକୁ ତୁରନ୍ତ ଧରି ଆଇନ ଅନୁଯାୟୀ ଦଣ୍ଡିତ କରାଜାଉ ବୋଲି ଆଧାରରେ ଦାବୀ ହେଉଛି l