ପୁଲିସ ବାବୁଙ୍କ ପରକୀୟା ପ୍ରୀତି: ପ୍ରେମିକା ସହ ଘରେ ମଉଜ କରିବା ବେଳେ ଧରିଲା ସ୍ତ୍ରୀ
ଜଣେ ପୁଲିସ ବାବୁଙ୍କ ସ୍ତ୍ରୀ ଚାକିରି ପାଇଁ ବାହାରକୁ ଯାଉଥିଲେ । ଯାହାର ଫାଇଦା ଉଠାଇ ସ୍ୱାମୀଜଣକ ପ୍ରେମିକାକୁ ଘରକୁ ଡକାଇ ମଉଜ କରୁଥିଲେ । ଅଚାନକ୍ ସ୍ତ୍ରୀ ପହଞ୍ଚିଯିବାରୁ ହରଡ଼ଘଣା ପଡ଼ିଲେ ସ୍ୱାମୀ । ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ସିପାହୀ ଭାବେ କାର୍ଯ୍ୟରତ ଜଣେ ଯୁବକ ୨୦୧୯ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବିବାହ କରିଥିଲେ । ତେବେ ୫ବର୍ଷର ପୁଅ ଓ ପତ୍ନୀଙ୍କ ସହ ରାଜଧାନୀରେ ରହୁଥିବାବେଳେ ଅନ୍ୟ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ । ଧୀରେ ଧୀରେ ସ୍ବାମୀଙ୍କ ଆଚରଣ, ବ୍ୟହାରରେ ପରିବର୍ତ୍ତନ ଯୋଗୁ ପତ୍ନୀଙ୍କ ସନ୍ଦେହ ବଢ଼ିଥିଲା । ପରକୀୟା ପ୍ରୀତିକୁ ନେଇ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ହେଲେ ସ୍ଵାମୀ ମାନିବାକୁ ପ୍ରସ୍ତୁତ ନଥିଲେ । ହେଲେ ସ୍ଵାମୀଙ୍କ ମିଛ ବେଶୀଦିନ ଲୁଚି ନଥିଲା । ତେବେ ଅଭିଯୁକ୍ତ ଫିରୋଜଙ୍କ ସ୍ତ୍ରୀ ରସୁଲଗଡ଼ର ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି । ସେ ପ୍ରତିଦିନ ସକାଳ ୯ଟାରୁ ଘରୁ ଅଫିସ୍ ଅଭିମୁଖେ ବାହାରି ଯାନ୍ତି । ଆଉ ସନ୍ଧ୍ୟାରେ ଫେରନ୍ତି । ଯାହାର ଫାଇଦା ଉଠାଇ ଫିରୋଜ ଘରକୁ ତାଙ୍କ ପ୍ରେମିକାକୁ ଆଣୁଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ୨ ଦିନ ତଳେ ସେ ଅଫିସ୍ ଯାଉଥିବା ବେଳେ ଟିଫିନ୍ ବାକ୍ସ ଆଣିବାକୁ ଭୁଲିଯାଇଥିଲେ । ସେ ଅଧା ରାସ୍ତାରୁ ଅଚାନକ୍ ଘରକୁ ଫେରିଥିଲେ । ଅନେକଥର କବାଟ ବାଡ଼େଇବାରୁ ଫିରୋଜ କବାଟ ଖୋଲିଲେନି । ଅଧ ଘଣ୍ଟା ପରେ ଅଧା କବାଟ ଖୋଲି କ’ଣ କାମ ଅଛି ବୋଲି କହିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା । ଅନେକ ଯୁକ୍ତିତର୍କ ପରେ ଫିରୋଜ ଶେଷରେ କବାଟ ଖୋଲିଥିଲେ । ବେଡ୍ରୁମ୍ର କପ୍ବୋର୍ଡରେ ଜଣେ ଯୁବତୀ ଲୁଚିଥିବା ଦେଖି ସ୍ତ୍ରୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଉ ସ୍ୱାମୀଙ୍କ ସବୁ କାରସାଦି ପଦାରେ ପଡି଼ଥିଲା । ସ୍ୱାମୀଙ୍କ ରାସଳୀଲାର ପ୍ରମାଣ ରଖିବା ପାଇଁ ସେ ପିସିଆର ଭ୍ୟାନକୁ ଡକାଇ ସମସ୍ତ ଘଟଣା ଜଣାଇଥିଲେ । ବଡ଼ କଥା ହେଉଛି ଏନେଇ ପତ୍ନୀ ଭରତପୁର ଥାନାରେ ଅଭିଯୋଗ କଲା ପରେ ପୁଲିସ ସ୍ବାମୀଙ୍କ ପରକୀୟାପ୍ରୀତିର ପୋଲ୍ ଖୋଲିଛି । ଏପଟେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ।