“ମନକୀ ବାତ୍” କାର୍ଯ୍ୟକ୍ରମରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
“ମନକୀ ବାତ୍” କାର୍ଯ୍ୟକ୍ରମରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।୧୨୪ ତମ ମନକୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରମିଳା ପ୍ରଧାନଙ୍କର କରିଛନ୍ତି ବେଶ୍ ପ୍ରଶଂସା ।କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ଜାମପଶି ପଞ୍ଚାୟତର ମୁର୍ଗାପାହାଡ଼ି ଗାଁ । ଅଟେଇ ସଂରକ୍ଷିତ ଜଙ୍ଗଲ କଡ଼ରେ ଥିବା ଏହି ଗାଁ ଆଜି ହଠାତ୍ ଚର୍ଚ୍ଚାର ପରିସରକୁ ଆସିଥିଲା । ତେବେ ଘଟଗାଁ ବ୍ଲକରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରେ ପ୍ରତିବର୍ଷ ନିଆଁ ଲାଗି ବ୍ୟାପକ ଅଞ୍ଚଳ ଜଳି ଯାଉଥିବା ବେଳେ, ଅନେକ ମୂଲ୍ୟବାନ ବୃକ୍ଷଲତା ସହ, ଜୀବଜନ୍ତୁ ମଧ୍ୟ ମୃତ୍ୟୁମୁଖରେ ପଡୁଥିଲେ । ଏହାକୁ ଲକ୍ଷ୍ୟ ରଖି ବନ ବିଭାଗ ତରଫରୁ ଅଟେଇ ସଂରକ୍ଷିତ ଜଙ୍ଗଲ ସୀମାକୁ ଲାଗି ଗାଁର ଲୋକଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଥିଲା । ଗତ ୩ବର୍ଷ ଧରି ପ୍ରମିଳା ପ୍ରଧାନ ୧୫ ଜଣ ପୁରୁଷ ଓ ମହିଳାଙ୍କ ସହାୟତାରେ ଗାଁ ଗାଁ ବୁଲି ନିଜ ସଂକୀର୍ତ୍ତନ ମଣ୍ଡଳୀ ସହାୟତାରେ ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ସଚେତନ କରାଉଛନ୍ତି । ଫଳରେ ଗତବର୍ଷ ୮୦ ପ୍ରତିଶତ ଜଙ୍ଗଲରେ ନିଆଁ ରୋକାଯାଇପାରିଥିବା କହିଛନ୍ତି କେନ୍ଦୁଝର DFO ।