ମହା ଶିବରାତ୍ରୀ : ଥୁଆମୂଳ ରାମପୁର ବ୍ଲକ୍‍ର ଶୈବପୀଠରେ ସହ ସହ ଭକ୍ତଙ୍କ ଭିଡ଼ ସହ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଉଠୁଛି ବିଭିନ୍ନ ଅଞ୍ଚଳ l

ଥୁଆମୂଳ ରାମପୁର,୨୬/୦୨-(ଦୁର୍ଗା କୀର୍ତ୍ତି):-ପବିତ୍ର ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଉଠିଛି ଗାଁଠୁ ସହର। ହର ହର ମହାଦେବ, ଓମ୍ ନମଃ ଶିବାୟ , ଜୟ ଶିବ ସମ୍ଭୁ ଧ୍ଵନିରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଜିଲ୍ଲାର ସମସ୍ତ ଶୈବପୀଠ ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍ ରେ ମଧ୍ୟ ମହାଶିବରାତ୍ରି ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି। ବ୍ଲକ୍ ର ପ୍ରତିଟି ଶୈବପୀଠରେ ଭୋର ସମୟରେ ଶ୍ରଦ୍ଧାଳୁମାନେ ନଡିଆ, କଦଳୀ, କ୍ଷୀର ଓ ଶିବଙ୍କ ପ୍ରିୟ ଦୁଦୁରା ଫୁଲ ନେଇ ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଥୁଆମୂଳ ରାମପୁର ଠାରେ ଥିବା ବାବା ରାମେଶ୍ବର ମନ୍ଦିର ରେ ଆଲୋକ ରଞ୍ଜନ ମୁଣ୍ଡ ଏବଂ ଗୋକୁଳ ଚନ୍ଦ୍ର ମୁଣ୍ଡ ପୂଜକ ଭାବରେ ପୂଜାର୍ଚ୍ଚନା କରିଥିବା ବେଳେ ଅଞ୍ଚଳର ସହ ସହ ଲୋକ ରାମେଶ୍ଵରଙ୍କ ଦର୍ଶନ କରି ପାଣି ଢ଼ାଳି ପୂଜା କରିଥିଲେ।

ସେହିଭଳି ବ୍ଲକ୍ ର ଗୁଣୁପୁର ବଙ୍ଗଳା ପଡ଼ା ସ୍ଥିତ ଶିବମନ୍ଦିର, ଡୁମେରପଦର୍ ଶିବ ମନ୍ଦିର, ଓଡ୍ରି ଶିବମନ୍ଦିର, ଗୋପୀନାଥପୂର୍ ଶିବମନ୍ଦିର, କାଠକୁରା ଶିବମନ୍ଦିର, ମେଲକୁନ୍ଦେଲ ସମେତ ଥୁଆମୂଳ ଏବଂ ମହୁଲପାଟଣା ରେ ଥ‌ିବା ସର୍ବପୁରାତନ ଶିବାଳୟ ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ମନ୍ଦିର ମାନଙ୍କରେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ମହାଶିବରାତ୍ରି ଜାଗର ଯାତ୍ରା ପୂଜା କମିଟି ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି l ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ, ଡ୍ୟାନ୍ସ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି ।