ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସେ ଭୁଲ ସ୍ବୀକାର କରିଛନ୍ତି। ଏହା ସହିତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଉକ୍ତ ବିବାଦୀୟ ପଡକାଷ୍ଟ ଭିଡିଓକୁ ହଟାଇଛନ୍ତି। ସୂଚନାମୁତାବକ ଶୁଭଙ୍କର ଏକ ପଡକାଷ୍ଟରେ କହିଥିଲେ ଯେ, ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ। କୌଣସି ପ୍ରେମୀ ଯୁଗଳ ଭୁଲରେ ବି ଶ୍ରୀମନ୍ଦିରକୁ ଯିବା ଉଚିତ ନୁହେଁ। ସମ୍ପର୍କକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ମନ୍ଦିର ଭିତରକୁ ଯିବ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ ପାଇଁ ମା’ ରାଧାରାଣୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେ ମନ୍ଦିର ଭିତରକୁ ଯିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ଯାହାକୁ ନେଇ ମା’ ରାଧାରାଣୀ ରାଗିଯାଇ ଅଭିଶାପ ଦେଇଥିଲେ। କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବ ନାହିଁ ବୋଲି ମା’ ଅଭିଶାପ ଦେଇ ସେଠାରୁ ଚାଲିଯାଇଥିଲେ।