ହାଇକୋର୍ଟର ଭର୍ଚୁଆଲ୍ ଶୁଣାଣିରେ ଟୟଲେଟ ସିଟରେ ବସି ଜଜ୍ ଙ୍କ ସାମ୍ନାରେ ହାଜର ହେଲେ ଅଭିଯୁକ୍ତ

ଗୁଜରାଟ ହାଇକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଛି। କୋର୍ଟର ଭର୍ଚୁଆଲ ଶୁଣାଣିରେ ଅଭିଯୁକ୍ତ ଟୟଲେଟ୍ ସିଟରେ ବସି ଜଜ୍ ଙ୍କ ଆଗରେ ହାଜର ହୋଇଛନ୍ତି। ଏହି ଘଟଣା କୋର୍ଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାଟି ହୋଇଛି ଜୁନ୍ ୨୦ ତାରିଖ । ଜଷ୍ଟିସ୍ ନିର୍ଜର ଏସ୍ ଦେଶାଇଙ୍କ କୋର୍ଟରେ ଘଟିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ତେବେ ଏହି ଭିଡିଓଟିର ଆରମ୍ଭରେ, ‘ସମାଦ ବ୍ୟାଟେରୀ’ ନାମରେ ଲଗ୍ ଇନ୍ କରିଥିବା ବ୍ୟକ୍ତି ଜଣକ ବ୍ଲୁଟୁଥ୍ ଇୟରଫୋନ୍ ପିନ୍ଧିଥିବାର ଦେଖାଯାଉଛି । କିଛି ସମୟ ପରେ ସେ ତାଙ୍କ ଫୋନ୍ ଦୂରରେ ରଖି ସ୍ପଷ୍ଟ କରୁଛନ୍ତି ଯେ ସେ ଟଏଲେଟ୍ ଉପରେ ବସିଛନ୍ତି କାରଣ ଫ୍ଲସ୍ ସ୍ପଷ୍ଟ ଭାବରେ ଦେଖାଯାଉଛି ।ଗୁଜରାଟ ହାଇକୋର୍ଟ ରେକର୍ଡ ମୁତାବକ ଏହି ବ୍ୟକ୍ତି ଏକ ଏଫଆଇଆର ରଦ୍ଦ କରିବା ପାଇଁ ନିବେଦନରେ ରୁଜୁ ହୋଇଥିବା ମାମଲାର ପ୍ରତିବାଦୀ ଭାବେ କୋର୍ଟରେ ହାଜର ହୋଇଥିଲା। ସେ କ୍ରିମନାଲ କେସରେ ଅଭିଯୋଗକାରୀ ମଧ୍ୟ। ମାମଲାରେ ଉଭୟପକ୍ଷଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ରୂପେ କୋର୍ଟ ଏଫଆଇର ରଦ୍ଦ କରିଦେଇଛନ୍ତି। ତେବେ ଭର୍ଚୁଆଲ କୋର୍ଟରେ ଶୁଣାଣି କାଳରେ ଅନୁଚିତ ବ୍ୟବହାରର ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ଏପ୍ରିଲ ୨୦୨୫ରେ ଜନୈକ ବ୍ୟକ୍ତି ଭର୍ଚୁଆଲ ଶୁଣାଣି କାଳରେ ସିଗାରେଟ ଟାଣୁଥିବା ଦେଖାଯାଇଥିଲା। ଗୁଜରାଟ ହାଇକୋର୍ଟ ସେହି ବ୍ୟକ୍ତିଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା କରିଥିଲେ।